ଯୀଶୁଙ୍କୁ କ୍ରୁଶବିଦ୍ଧ
(ମାଥିଉ 27:32-44; ଲୂକ 23:26-43; ଯୋହନ 19:17-27)
21ସେତେବେଳେ ଆଲେକ୍ଜାଣ୍ଡର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀଗ୍ରାମରୁ ଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବୋହିବା ପାଇଁ ବାଧ୍ୟ କଲେ। 22ଆଉ ସେମାନେ ତାହାଙ୍କୁ ଗଲ୍ଗଥା, ଅର୍ଥାତ୍ କପାଳସ୍ଥଳ ନାମକ ସ୍ଥାନକୁ ଆଣିଲେ। 23ପୁଣି, ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ। 24ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, କିଏ କଅଣ ପାଇବ, ତାହା ଗୁଲିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ। 25ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ। 26ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୁଦୀମାନଙ୍କର ରାଜା। 27ପୁଣି, ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନଙ୍କୁ ସେମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇଦେଲେ। 28[ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ।] 29ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, 30କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କର। 31ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀମାନଙ୍କ ସହିତ ପରସ୍ପର ମଧ୍ୟରେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ। 32ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମ୍ଭେମାନେ ତାହା ଦେଖି ବିଶ୍ୱାସ କରିବା। ପୁଣି, ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ।


