ଲେବୀଙ୍କୁ ଆହ୍ୱାନ
(ମାଥିଉ 9:9-13; ଲୂକ 5:27-32)
13ଯୀଶୁ ପୁନର୍ବାର ସମୁଦ୍ରକୂଳକୁ ବାହାରିଗଲେ, ଆଉ ଲୋକସମୂହ ତାହାଙ୍କ ନିକଟକୁ ଆସନ୍ତେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। 14ପୁଣି, ସେ ଯାଉ ଯାଉ ଆଲଫିଙ୍କ ପୁତ୍ର ଲେବୀଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ। 15ଆଉ ଯୀଶୁ ତାହାଙ୍କ ଗୃହରେ ଭୋଜନ କରିବାକୁ ବସିବା ସମୟରେ ଅନେକ କରଗ୍ରାହୀ ଏବଂ ପାପୀ, ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ; କାରଣ ସେମାନେ ଅନେକ ଥିଲେ ପୁଣି, ତାହାଙ୍କର ଅନୁଗମନ କରୁଥିଲେ। 16ସେ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି, ଏହା ଦେଖି ଫାରୂଶୀ-ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ଏ କଅଣ? ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି! 17ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି; ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”


