ଯୀଶୁଙ୍କ ପୁନରୁତ୍ଥାନ
(ମାଥିଉ 28:1-8; ଲୂକ 24:1-12; ଯୋହନ 20:1-10)
1ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧିଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି। 2ପୁଣି, ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଲା। 3ସେମାନେ ପରସ୍ପରକୁ କହୁଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି-ଦ୍ୱାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା। 4ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି। 5ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହେଲେ। 6ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ। 7କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି; ଯୀଶୁ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ। 8ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ଆଶ୍ଚର୍ଯ୍ୟ ହୋଇଥିଲେ, ପୁଣି, କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ।


