ମହାନ ଆଦେଶ
(ମାଥିଉ 28:16-20; ଲୂକ 24:36-49; ଯୋହନ 20:19-23; ପ୍ରେରିତ 1:6-8)
14ଏଥିଉତ୍ତାରେ ଏଗାର ଜଣ ଶିଷ୍ୟମାନେ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ୱାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ, କାରଣ ଯେଉଁମାନେ ତାହାଙ୍କୁ ପୁନରୁତ୍ଥିତ ଦେଖିଲେ, ସେମାନଙ୍କ କଥା ସେମାନେ ବିଶ୍ୱାସ କରି ନ ଥିଲେ। 15ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର। 16ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ। 17ଆଉ ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, 18ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ।”


