ନିହିମୀୟା ଯିହୁଦାକୁ ପ୍ରେରିତ
1ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ଵର କୋଡ଼ିଏତମ ବର୍ଷରେ ନୀସନ୍ ମାସରେ ଏପରି ଘଟିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏଥିପୂର୍ବେ ମୁଁ ତାଙ୍କ ସାକ୍ଷାତରେ କେବେ ଦୁଃଖିତ ହୋଇ ନ ଥିଲି। 2ଏଥିରେ ରାଜା ମୋତେ ପଚାରିଲେ, “ତୁମ୍ଭେ ତ ପୀଡ଼ିତ ହୋଇ ନାହଁ, କାହିଁକି ତୁମ୍ଭର ମୁଖ ବିବର୍ଣ୍ଣ ହୋଇଅଛି? ଏହା ମନର ଦୁଃଖ ବିନୁ ଆଉ କିଛି ନୁହେଁ।” ତହିଁରେ ମୁଁ ଅତିଶୟ ଭୀତ ହେଲି। 3ପୁଣି, ମୁଁ ରାଜାଙ୍କୁ କହିଲି, “ମହାରାଜ ଚିରଜୀବୀ ହେଉନ୍ତୁ; ଯେଉଁ ନଗର ମୋହର ପୂର୍ବପୁରୁଷଗଣର କବର ସ୍ଥାନ, ତାହା ଯେତେବେଳେ ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ସେତେବେଳେ କାହିଁକି ମୋହର ମୁଖ ବିବର୍ଣ୍ଣ ନୋହିବ?” 4ଏଥିରେ ରାଜା ମୋତେ କହିଲେ, “ତେବେ ତୁମ୍ଭେ କି ବିଷୟରେ ନିବେଦନ କରୁଅଛ?” ତହୁଁ ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି। 5ପୁଣି, ମୁଁ ରାଜାଙ୍କୁ କହିଲି, “ଯେବେ ମହାରାଜଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ, ମୋହର ପିତୃଲୋକଙ୍କ କବର-ନଗରକୁ ମୋତେ ପଠାଇବା ପାଇଁ ଆଜ୍ଞା କରନ୍ତୁ, ତହିଁରେ ମୁଁ ତାହା ନିର୍ମାଣ କରିବି।” 6ତହୁଁ ରାଜା ମୋତେ ପଚାରିଲେ, “(ମଧ୍ୟ ରାଣୀ ତାଙ୍କ ପାଖରେ ବସିଥିଲେ,) ତୁମ୍ଭ ଯାତ୍ରା କେତେ ଦିନ ଲାଗିବ? ଓ ତୁମ୍ଭେ କେବେ ଫେରି ଆସିବ?” ଏହିରୂପେ ମୁଁ ତାଙ୍କ ନିକଟରେ ସମୟ ନିରୂପଣ କଲା ପରେ ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେଲେ। 7ଆହୁରି, ମୁଁ ରାଜାଙ୍କୁ କହିଲି, “ଯେବେ ମହାରାଜଙ୍କର ସନ୍ତୋଷ ହୁଏ, ତେବେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନେ ଯେପରି ଯିହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ି ଦିଅନ୍ତି, ଏଥିପାଇଁ ସେମାନଙ୍କ ନିକଟକୁ ମୋତେ ପତ୍ର ଦିଆଯାଉ; 8ଆଉ, ମନ୍ଦିର-ସମ୍ପର୍କୀୟ ଦୁର୍ଗଦ୍ୱାର ଓ ନଗର-ପ୍ରାଚୀର ଓ ମୋହର ପ୍ରବେଶ ଗୃହ ନିମନ୍ତେ କଡ଼ି କରିବା ପାଇଁ ମୋତେ କାଷ୍ଠ ଦେବାକୁ ମହାରାଜଙ୍କ ବନରକ୍ଷକ ଆସଫ ନିକଟକୁ ଏକ ପତ୍ର ଦିଆଯାଉ।” ତହିଁରେ ମୋʼ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ରାଜା ତାହା ମୋତେ ଦେଲେ।


