ଯିରୂଶାଲମ ପ୍ରାଚୀର ନିରୀକ୍ଷଣ
9ଏହାପରେ ମୁଁ ନଦୀ ସେପାରିର ଦେଶାଧ୍ୟକ୍ଷମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ରାଜାଙ୍କ ପତ୍ର ଦେଲି। ଆହୁରି, ରାଜା ମୋʼ ସଙ୍ଗେ ସେନାପତି ଓ ଅଶ୍ୱାରୋହୀମାନଙ୍କୁ ପଠାଇଥିଲେ। 10ମାତ୍ର ଇସ୍ରାଏଲ-ସନ୍ତାନଗଣର ମଙ୍ଗଳ ଚେଷ୍ଟା କରିବା ପାଇଁ ଜଣେ ଲୋକ ଆସିଅଛି ବୋଲି ଶୁଣି ହୋରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଦାସ ଟୋବୀୟ ଅତିଶୟ ଅସନ୍ତୁଷ୍ଟ ହେଲେ।
11ଏହିରୂପେ ମୁଁ ଯିରୂଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ରହିଲି। 12ତହୁଁ ରାତ୍ରିରେ ମୁଁ ଓ ମୋʼ ସଙ୍ଗେ କେତେକ ଲୋକ ଉଠିଲୁ; ପୁଣି, ମୋର ପରମେଶ୍ୱର ଯିରୂଶାଲମ ନିମନ୍ତେ ଯାହା କରିବାକୁ ମୋର ମନରେ ପ୍ରବୃତ୍ତି ଦେଇଥିଲେ, ତାହା ମୁଁ କାହାକୁ ଜଣାଇଲି ନାହିଁ; ଆଉ ମୁଁ ଯେଉଁ ପଶୁ ଉପରେ ଚଢ଼ିଥିଲି, ତାହା ଛଡ଼ା ଅନ୍ୟ ପଶୁ ମୋʼ ସଙ୍ଗରେ ନ ଥିଲା। 13ପୁଣି, ମୁଁ ରାତ୍ରିରେ ବାହାରି ଉପତ୍ୟକା-ଦ୍ୱାର ଦେଇ ନାଗକୂପ ଓ ଖତ-ଦ୍ୱାର ପର୍ଯ୍ୟନ୍ତ ଗଲି ଓ ଯିରୂଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିରେ ଦଗ୍ଧ ହୋଇଥିବା ଦ୍ୱାରସବୁ ଦେଖିଲି। 14ତହୁଁ ମୁଁ ନିର୍ଝରଦ୍ୱାର ଓ ରାଜାଙ୍କର ପୁଷ୍କରିଣୀ ପର୍ଯ୍ୟନ୍ତ ଗଲି; ମାତ୍ର ସେଠାରେ ମୋର ବାହନ ପଶୁର ଯିବାର ସ୍ଥାନ ନ ଥିଲା। 15ତେବେ ମୁଁ ରାତ୍ରିକାଳେ ନଦୀ ନିକଟ ଦେଇ ଊର୍ଦ୍ଧ୍ୱକୁ ଗମନ କରି ପ୍ରାଚୀର ଦେଖିଲି; ତହୁଁ ମୁଁ ବୁଲି ଉପତ୍ୟକା-ଦ୍ୱାର ଦେଇ ପ୍ରବେଶ କରି ଫେରି ଆସିଲି। 16ମାତ୍ର ମୁଁ କେଉଁଆଡ଼େ ଗଲି ଓ କଅଣ କଲି, ଏହା ଅଧ୍ୟକ୍ଷମାନେ ଜାଣିଲେ ନାହିଁ; ଆଉ, ସେପର୍ଯ୍ୟନ୍ତ ମୁଁ ଯିହୁଦୀୟମାନଙ୍କୁ କି ଯାଜକମାନଙ୍କୁ କି କୁଳୀନମାନଙ୍କୁ କି ଅଧ୍ୟକ୍ଷମାନଙ୍କୁ କି ଅନ୍ୟ କର୍ମଚାରୀମାନଙ୍କୁ ତାହା ଜଣାଇ ନ ଥିଲି।
17ଏହାପରେ ମୁଁ ସେମାନଙ୍କୁ କହିଲି, “ଆମ୍ଭେମାନେ କି ପ୍ରକାର ମନ୍ଦ ଅବସ୍ଥାରେ ଅଛୁ, ଯିରୂଶାଲମ କିପରି ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ଏହା ତୁମ୍ଭେମାନେ ଦେଖୁଅଛ; ଆସ, ଆମ୍ଭେମାନେ ଯେପରି ଆଉ ନିନ୍ଦାର ପାତ୍ର ନୋହିବା, ଏଥିପାଇଁ ଯିରୂଶାଲମର ପ୍ରାଚୀର ନିର୍ମାଣ କରୁ।” 18ତହୁଁ ମୋʼ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତ ବିଷୟ, ମଧ୍ୟ ମୋʼ ପ୍ରତି ଉକ୍ତ ରାଜାଙ୍କ କଥା ବିଷୟ ମୁଁ ସେମାନଙ୍କୁ ଜଣାଇଲି। ତହିଁରେ ସେମାନେ କହିଲେ, “ଆସ, ଆମ୍ଭେମାନେ ଉଠି ନିର୍ମାଣ କରିବା।” ଏହିରୂପେ ସେମାନେ ସେହି ଉତ୍ତମ କାର୍ଯ୍ୟ ନିମନ୍ତେ ଆପଣାମାନଙ୍କ ହସ୍ତ ସବଳ କଲେ।
19ମାତ୍ର ହୋରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଦାସ ଟୋବୀୟ ଓ ଆରବୀୟ ଗେଶମ୍ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, “ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ? ତୁମ୍ଭେମାନେ କି ରାଜଦ୍ରୋହ କରିବ?” 20ତେବେ ମୁଁ ଉତ୍ତର କରି ସେମାନଙ୍କୁ କହିଲି, “ଯେ ସ୍ୱର୍ଗସ୍ଥ ପରମେଶ୍ୱର, ସେ ଆମ୍ଭମାନଙ୍କ କାର୍ଯ୍ୟ ସିଦ୍ଧ କରିବେ; ଆମ୍ଭେମାନେ ତାହାଙ୍କର ଦାସ ଏଥିପାଇଁ ଉଠି ନିର୍ମାଣ କରିବୁ; ମାତ୍ର ଯିରୂଶାଲମରେ ତୁମ୍ଭମାନଙ୍କର କୌଣସି ଅଂଶ କି ଅଧିକାର କି ସ୍ମୃତିଚିହ୍ନ ନାହିଁ।”


