ଯିରୂଶାଲମ ପ୍ରାଚୀର ପୁନଃନିର୍ମାଣ
1ଏହାପରେ ଇଲୀୟାଶୀବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ। 2ତାହାଙ୍କ ନିକଟରେ ଯିରୀହୋର ଲୋକମାନେ ଗଢ଼ିଲେ, ଓ ସେମାନଙ୍କ ନିକଟରେ ଇମ୍ରିର ପୁତ୍ର ସକ୍କୁର ଗଢ଼ିଲା।
3ଆଉ, ହସନାୟାର ସନ୍ତାନଗଣ ମତ୍ସ୍ୟଦ୍ୱାର ଗଢ଼ିଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ କିଳିଣୀ ଓ ଅର୍ଗଳସବୁ ଲଗାଇଲେ। 4ପୁଣି, ସେମାନଙ୍କ ନିକଟରେ ହକ୍କୋସ୍ର ପୌତ୍ର ଊରୀୟର ପୁତ୍ର ମରେମୋତ୍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ମଶେଷବେଲ୍ର ପୌତ୍ର ବେରିଖୀୟର ପୁତ୍ର ମଶୁଲ୍ଲମ୍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ବାନାର ପୁତ୍ର ସାଦୋକ ମରାମତି କଲା। 5ପୁଣି, ସେମାନଙ୍କ ନିକଟରେ ତକୋୟ ନଗରର ଲୋକମାନେ ମରାମତି କଲେ; ମାତ୍ର ସେମାନଙ୍କର ଦଳପତିମାନେ ଆପଣାମାନଙ୍କ ନେତାଙ୍କ କର୍ମ କରିବାକୁ ରାଜି ହେଲେ ନାହିଁ।
6ଆଉ, ପାସେହର ପୁତ୍ର ଯିହୋୟାଦା ଓ ବଷୋଦିୟାର ପୁତ୍ର ମଶୁଲ୍ଲମ୍ ପୁରାତନ ଦ୍ୱାରର ମରାମତି କଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ, ଆଉ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ। 7ପୁଣି, ସେମାନଙ୍କ ନିକଟରେ ଗିବୀୟୋନୀୟ ମଲାଟୀୟ ଓ ମେରୋଣୋଥୀୟ ଯାଦୋନ ଲୋକମାନେ ମରାମତି କଲେ, ସେମାନେ ଗିବୀୟୋନ୍ ଓ ମିସ୍ପା ନଗରର ମୁଖ୍ୟ ଥିଲେ, ନଦୀ ସେପାରିସ୍ଥ ମିସ୍ପା ଦେଶାଧ୍ୟକ୍ଷର ସ୍ଥାନ ଥିଲା। 8ତାହା ନିକଟରେ ସ୍ୱର୍ଣ୍ଣକାରମାନେ, ହର୍ହୟର ପୁତ୍ର ଉଷୀୟେଲ ମରାମତି କଲେ। ଆଉ, ତାହା ନିକଟରେ ଗନ୍ଧବଣିକମାନଙ୍କ ମଧ୍ୟରୁ ହନାନୀୟ ମରାମତି କଲା, ପୁଣି ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଯିରୂଶାଲମ ଦୃଢ଼ କଲେ। 9ସେମାନଙ୍କ ନିକଟରେ ଯିରୂଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୂରର ପୁତ୍ର ରଫାୟ ମରାମତି କଲା। 10ଆଉ, ସେମାନଙ୍କ ନିକଟରେ ହରୁମଫର ପୁତ୍ର ଯିଦାୟ ଆପଣା ଗୃହ ସମ୍ମୁଖରେ ମରାମତି କଲା। ତାହା ନିକଟରେ ହଶ୍ବନୀୟର ପୁତ୍ର ହଟୂଶ୍ ମରାମତି କଲା। 11ହାରୀମ୍ର ପୁତ୍ର ମଲ୍କୀୟ ଓ ପହତ୍-ମୋୟାବର ପୁତ୍ର ହଶୂବ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗର ମରାମତି କଲେ। 12ତାହା ନିକଟରେ ଯିରୂଶାଲମ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଲୋହେଶର ପୁତ୍ର ଶଲ୍ଲୁମ୍ ଓ ତାହାର କନ୍ୟାମାନେ ମରାମତି କଲେ।
13ହାନୂନ୍ ଓ ସାନୋହ ନିବାସୀମାନେ ଉପତ୍ୟକା ଦ୍ୱାରର ମରାମତି କଲେ; ସେମାନେ ତାହା ଗଢ଼ିଲେ ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲେ, ଆଉ ଖତ-ଦ୍ୱାର ପର୍ଯ୍ୟନ୍ତ ପ୍ରାଚୀରର ଏକ ହଜାର ହାତ ଦୃଢ଼ କଲେ।
14ପୁଣି, ବେଥ୍-ହକ୍କେରମ୍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲ୍କୀୟ ଖତ ଦ୍ୱାରର ମରାମତି କଲା; ସେ ତାହା ଗଢ଼ିଲା ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲା।
15ପୁଣି, ମିସ୍ପା ପ୍ରଦେଶର ଅଧ୍ୟକ୍ଷ କଲ୍ହୋଷିର ପୁତ୍ର ଶଲ୍ଲୁନ୍ ନିର୍ଝର ଦ୍ୱାରର ମରାମତି କଲା; ସେ ତାହା ଗଢ଼ି ଆଚ୍ଛାଦନ କଲା ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲା, ପୁଣି ଦାଉଦ-ନଗରରୁ ତଳକୁ ଯିବା ପାହାଚ ପର୍ଯ୍ୟନ୍ତ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଶେଲା ପୁଷ୍କରିଣୀ-ପ୍ରାଚୀର (ମରାମତି କଲା)। 16ତାହା ନିକଟରେ ବେଥ୍-ସୁର ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସ୍ବୂକର ପୁତ୍ର ନିହିମୀୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ନିର୍ମିତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲା।


