ଦୋଷତ୍ରୁଟି ପାଇଁ କ୍ଷତିପୂରଣ
5ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 6“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ଯଦି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଚଳିତ କୌଣସି ପାପ କରେ ଓ ସେହି ପ୍ରାଣୀ ଦଣ୍ଡନୀୟ ହୁଏ, 7ତେବେ ସେ ଆପଣା କୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷ ସକାଶୁ କ୍ଷତିପୂରଣ ଦେବ ଓ ତହିଁର ପଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଅଛି, ତାହାକୁ ଦେବ। 8ମାତ୍ର ଯାହାକୁ ଦୋଷ ନିମନ୍ତେ କ୍ଷତିପୂରଣ ଦିଆଯାଇ ପାରେ, ଏପରି ମୁକ୍ତିକର୍ତ୍ତା ଜ୍ଞାତି ଯଦି ସେହି ଲୋକର ନ ଥାଏ, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୋଷାର୍ଥକ କ୍ଷତିପୂରଣ ଦିଆଯାଏ, ତାହା ଯାଜକର ହେବ; ତାହା ବ୍ୟତୀତ ଯଦ୍ଦ୍ୱାରା ତାହା ପାଇଁ ପ୍ରାୟଶ୍ଚିତ୍ତ କରାଯିବ, ସେହି ପ୍ରାୟଶ୍ଚିତ୍ତାର୍ଥକ ମେଷବଳି ହିଁ ଦେବାକୁ ହେବ। 9ପୁଣି, ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନୀୟ ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହେବ। 10ପ୍ରତ୍ୟେକ ମନୁଷ୍ୟର ଉତ୍ସର୍ଗିତ ପବିତ୍ର ବସ୍ତୁ ତାହାର ହେବ; ମନୁଷ୍ୟ ଯେକୌଣସି ବସ୍ତୁ ଯାଜକକୁ ଦିଏ, ତାହା ତାହାର ହେବ।”


