ବ୍ୟଭିଚାରର ପରୀକ୍ଷା

11ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 12“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ଭାର୍ଯ୍ୟା ଯଦି ବିପଥଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ, 13ଅର୍ଥାତ୍‍, ଯଦି କୌଣସି ପୁରୁଷ ତାହା ସହିତ ସହବାସ କରେ ଓ ତାହା ତାହାର ସ୍ୱାମୀର ଦୃଷ୍ଟିରୁ ଅଗୋଚର ହୋଇ ଗୁପ୍ତ ହୁଏ ଓ ସେ ଅଶୁଚି ହୁଏ, ପୁଣି, ତାହା ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ, କିଅବା ସେ କର୍ମ ସମୟରେ ଧରା ପଡ଼ି ନ ଥାଏ; 14ଆଉ ଯଦି ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୁଏ ଓ ଭାର୍ଯ୍ୟା ଅଶୁଚି ହେବାରୁ ତାହା ପ୍ରତି ଈର୍ଷାରେ ଜ୍ୱଳେ; ଅବା ଭାର୍ଯ୍ୟା ଅଶୁଚି ନୋହିଲେ ହେଁ ଯଦି ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ତାହା ପ୍ରତି ଈର୍ଷାରେ ଜ୍ୱଳେ; 15ତେବେ ସେହି ପୁରୁଷ ଆପଣା ଭାର୍ଯ୍ୟାକୁ ଯାଜକ ନିକଟକୁ ଆଣିବ ଓ ତାହା ନିମନ୍ତେ ଐଫାର ଦଶମାଂଶ ଯବ ମଇଦା ଉପହାର ଆଣିବ; ସେ ତହିଁ ଉପରେ ତୈଳ ଢାଳିବ ନାହିଁ ଅବା କୁନ୍ଦୁରୁ ଦେବ ନାହିଁ, କାରଣ ତାହା ଈର୍ଷାର ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍‍ ଅପରାଧ-ସ୍ମରଣକାରୀ ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ।

16ଏଉତ୍ତାରେ ଯାଜକ ସେହି ସ୍ତ୍ରୀକୁ ନିକଟକୁ ଆଣି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ। 17ପୁଣି, ଯାଜକ ମୃତ୍ତିକା ପାତ୍ରରେ ପବିତ୍ର ଜଳ ନେବ ଓ ଯାଜକ ଆବାସର ଚଟାଣରୁ ଧୂଳି ନେଇ ସେହି ଜଳରେ ପକାଇବ। 18ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍‍ ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ତାହାର ହସ୍ତରେ ଦେବ; ପୁଣି, ଯାଜକ ଆପଣା ହସ୍ତରେ ଅଭିଶାପଜନକ ତିକ୍ତ ଜଳ ରଖିବ। 19ଆଉ ଯାଜକ ସେହି ସ୍ତ୍ରୀକୁ ଶପଥ କରାଇ କହିବ, ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ନ ଥାଏ ଓ ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି କ୍ରିୟା କରି ନ ଥାଅ, ତେବେ ତୁମ୍ଭେ ଏହି ଅଭିଶାପଜନକ ତିକ୍ତ ଜଳରୁ ମୁକ୍ତ ହୁଅ। 20ମାତ୍ର ଯଦି ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇଥାଅ ଓ ତୁମ୍ଭେ ଅଶୁଚି ହୋଇଥାଅ, ପୁଣି, ତୁମ୍ଭ ସ୍ୱାମୀ ବ୍ୟତୀତ ଅନ୍ୟ କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରିଥାଏ; 21ତେବେ ସଦାପ୍ରଭୁ ତୁମ୍ଭର ଊରୁ ଅବଶ କରାଇ ଓ ତୁମ୍ଭର ଉଦର ଫୁଲାଇ ତୁମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭଙ୍କୁ ଶପଥ ଓ ରାଣର ଫଳ ଭୋଗ କରାଉନ୍ତୁ; 22ତହିଁରେ ଏହି ଅଭିଶାପଜନକ ଜଳ ତୁମ୍ଭ ଉଦର ଫୁଲାଇବାକୁ ଓ ଊରୁ ଅବଶ କରାଇବାକୁ ତୁମ୍ଭ ଉଦରରେ ପ୍ରବେଶ କରୁ; ଏହି ସକଳ କଥା କହି ଯାଜକ ରାଣଯୁକ୍ତ ଶପଥ ଦ୍ୱାରା ସେହି ସ୍ତ୍ରୀକୁ ଶପଥ କରାଇବ; ତହିଁରେ ସେହି ସ୍ତ୍ରୀ ଆମେନ୍‍ କହିବ।

23ପୁଣି, ଯାଜକ ସେହି ଅଭିଶାପର କଥା ନଳାକାର ପୁସ୍ତକରେ ଲେଖିବ ଓ ତାହା ପୋଛି ତିକ୍ତ ଜଳରେ ପକାଇବ। 24ତହୁଁ ସେ ସେହି ସ୍ତ୍ରୀକୁ ଅଭିଶାପଜନକ ତିକ୍ତ ଜଳ ପିଆଇବ; ତହିଁରେ ସେହି ଅଭିଶାପଜନକ ଜଳ ତାହା ଉଦରରେ ପ୍ରବେଶ କରି ତିକ୍ତ ହେବ। 25ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ, ପୁଣି, ବେଦି ଉପରକୁ ଆଣିବ; 26ତହୁଁ ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ମୁଠିଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନେଇ ବେଦି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତାରେ ସେହି ସ୍ତ୍ରୀକୁ ସେହି ଜଳ ପାନ କରାଇବ। 27ପୁଣି, ସେ ସେହି ସ୍ତ୍ରୀକୁ ଜଳ ପାନ କରାଇଲେ ଏପରି ହେବ, ଯଦି ସେହି ସ୍ତ୍ରୀ ଆପଣା ସ୍ୱାମୀ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅଶୁଚି ହୋଇଥାଏ, ତେବେ ସେହି ଅଭିଶାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ତିକ୍ତ ହେବ ଓ ତାହାର ଉଦର ଫୁଲିବ ଓ ତାହାର ଊରୁ ଅବଶ ହେବ; ଆଉ ସେହି ସ୍ତ୍ରୀ ଆପଣା ଲୋକଙ୍କ ମଧ୍ୟରେ ଅଭିଶାପ ସ୍ୱରୂପ ହେବ। 28ଆଉ ଯଦି ସେହି ସ୍ତ୍ରୀ ଅଶୁଚି ନ ହୋଇ ଶୁଚି ଥାଏ, ତେବେ ସେ ମୁକ୍ତ ହେବ ଓ ଗର୍ଭଧାରଣ କରିବ।

29ଏହା ଈର୍ଷା ବିଷୟକ ବ୍ୟବସ୍ଥା, ଯଥା, ଭାର୍ଯ୍ୟା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି ହେଲେ, 30ଅବା କୌଣସି ପୁରୁଷ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ଆପଣା ଭାର୍ଯ୍ୟା ପ୍ରତି ଈର୍ଷାରେ ଜ୍ୱଳିଲେ, ସେ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ, ପୁଣି, ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ। 31ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେହି ସ୍ତ୍ରୀ ଆପଣା ଆପଣା ଅପରାଧ ବୋହିବ।”