ଲୋକମାନଙ୍କ ବଚସା
1ଏଥିଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ମନ୍ଦ କଥା କହି ବଚସାକାରୀ ଲୋକମାନଙ୍କ ତୁଲ୍ୟ ହେଲେ; ପୁଣି, ସଦାପ୍ରଭୁ ତାହା ଶୁଣନ୍ତେ, ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତଭାଗ ଗ୍ରାସ କଲା। 2ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟରେ କ୍ରନ୍ଦନ କଲେ; ତହୁଁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେହି ଅଗ୍ନି ଲିଭିଗଲା। 3ତେଣୁ ସେହି ସ୍ଥାନର ନାମ ତବୀୟେରା ହେଲା, କାରଣ ସଦାପ୍ରଭୁଙ୍କ ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କଲା।
4ଏଥିଉତ୍ତାରେ ସେମାନଙ୍କ ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ; ପୁଣି, ଇସ୍ରାଏଲ-ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, “କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? 5ଆମ୍ଭେମାନେ ମିସର ଦେଶରେ ବିନାମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନରେ ପଡ଼େ; ସେ କାକୁଡ଼ି, ସେ ଖରଭୁଜ, ସେ ପରୁ, ସେ ପିଆଜ ଓ ରସୁଣ (ମନରେ ପଡ଼େ); 6ମାତ୍ର ଏବେ ଆମ୍ଭମାନଙ୍କର ପ୍ରାଣ ଶୁଷ୍କ ହେଉଅଛି; ଏଠି କିଛି ନାହିଁ; ଏହି ମାନ୍ନା ବ୍ୟତୀତ ଆଉ ଦେଖିବାକୁ କିଛି ନାହିଁ।” 7ଆଉ ସେହି ମାନ୍ନା ଧନିଆ ପରି ଓ ତହିଁର ଦୃଶ୍ୟ ମୁକ୍ତା ସଦୃଶ। 8ଲୋକମାନେ ଏଣେତେଣେ ଭ୍ରମଣ କରି ତାହା ସାଉଣ୍ଟିଲେ ଓ ଚକିରେ ତାହା ପେଷିଲେ, ଅବା କୁଟଣୀରେ ତାହା ଚୂର୍ଣ୍ଣ କରି କହ୍ରାଇରେ ସିଝେଇ କରି ପିଠା ପ୍ରସ୍ତୁତ କଲେ; ଆଉ ତୈଳପକ୍ୱ ପିଠା ପରି ତହିଁର ସ୍ୱାଦ ଥିଲା। 9ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲା ସମୟରେ ସେହି ମାନ୍ନା ତହିଁ ସଙ୍ଗରେ ପଡ଼ିଲା। 10ଏଉତ୍ତାରେ ଲୋକମାନେ ସମୁଦାୟ ପରିବାର ସହିତ, ପ୍ରତ୍ୟେକ ଲୋକ ଆପଣା ତମ୍ବୁଦ୍ୱାର ନିକଟରେ ରୋଦନ କରିବାର ମୋଶା ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି, ମୋଶା ମଧ୍ୟ ଅସନ୍ତୁଷ୍ଟ ହେଲେ। 11ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ? ଓ କାହିଁକି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇ ନାହିଁ, ଯେ ତୁମ୍ଭେ ମୋʼ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ? 12ମୁଁ କʼଣ ଏହି ସମସ୍ତ ଲୋକଙ୍କୁ ଗର୍ଭରେ ଧାରଣ କରିଅଛି? ମୁଁ କʼଣ ସେମାନଙ୍କୁ ଜନ୍ମ କରିଅଛି ଯେ, ତୁମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲ, ‘ସେହି ଦେଶ ପର୍ଯ୍ୟନ୍ତ ଦୁଗ୍ଧପୋଷ୍ୟ ଶିଶୁ-ପାଳନକାରୀ ପିତା ତୁଲ୍ୟ ସେମାନଙ୍କୁ କୋଳରେ ବହି ଘେନିଯିବା ପାଇଁ ମୋତେ କହୁଅଛ?’ 13ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କେଉଁଠାରୁ ପାଇବି? କାରଣ ସେମାନେ ମୋʼ ନିକଟରେ କାନ୍ଦି କହୁଅଛନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ,’ ଆମ୍ଭେମାନେ ଖାଇବା। 14ମୁଁ ଏକାକୀ ଏତେ ଲୋକଙ୍କର ଭାର ବହି ନ ପାରେ, କାରଣ ଏହା ମୋʼ ପାଇଁ ଅସହ୍ୟ ଅଟେ। 15ଆଉ ଯଦି ତୁମ୍ଭେ ମୋʼ ପ୍ରତି ଏପରି ବ୍ୟବହାର କର, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଥିଲେ, ସେହିକ୍ଷଣି ମୋତେ ମାରି ପକାଅ; ପୁଣି, ମୋତେ ଆପଣା ଦୁର୍ଗତି ଦେଖିବାକୁ ଦିଅ ନାହିଁ।”


