ମୋଶାଙ୍କ ସାହାଯ୍ୟାର୍ଥେ ପ୍ରାଚୀନ ନିଯୁକ୍ତି

16ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଯେଉଁମାନଙ୍କୁ ଲୋକମାନଙ୍କର ପ୍ରାଚୀନ ଓ ଅଧିପତି ବୋଲି ଜାଣୁଅଛ, ଇସ୍ରାଏଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଆମ୍ଭ ନିକଟରେ ଏକତ୍ର କର; ପୁଣି, ସେମାନଙ୍କୁ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆଣ, ସେମାନେ ତୁମ୍ଭ ସଙ୍ଗେ ସେଠାରେ ଠିଆ ହେବେ। 17ତହିଁରେ ଆମ୍ଭେ ସେହି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବା ଓ ତୁମ୍ଭଠାରେ ଯେଉଁ ଆତ୍ମା ଅଛି, ତହିଁରୁ ନେଇ ସେମାନଙ୍କୁ ଦେବା; ତହିଁରେ ତୁମ୍ଭେ ଯେପରି ଏକାକୀ ଲୋକମାନଙ୍କର ଭାର ନ ବହିବ, ଏଥିପାଇଁ ସେମାନେ ତୁମ୍ଭ ସହିତ ଲୋକମାନଙ୍କର ଭାର ବହିବେ। 18ପୁଣି, ତୁମ୍ଭେ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, ଆଉ ତୁମ୍ଭେମାନେ ମାଂସ ଖାଇବ; କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ କ୍ରନ୍ଦନ କରି କହିଅଛ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଞ୍ଚ ମିସର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା; ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଦେବେ, ତୁମ୍ଭେମାନେ ତାହା ଖାଇବ। 19ତୁମ୍ଭେମାନେ ଦିନେ କିମ୍ବା ଦୁଇ ଦିନ କିମ୍ବା ପାଞ୍ଚ ଦିନ କିମ୍ବା ଦଶ ଦିନ କିମ୍ବା କୋଡ଼ିଏ ଦିନ ଖାଇବ, ତାହା ନୁହେଁ; 20ମାତ୍ର ସମ୍ପୂର୍ଣ୍ଣ ଏକ ମାସ, ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ଓ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ନ ହୁଏ, ସେପର୍ଯ୍ୟନ୍ତ ଖାଇବ; କାରଣ ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟବର୍ତ୍ତୀ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରି ତାହାଙ୍କ ସମ୍ମୁଖରେ କ୍ରନ୍ଦନ କରି କହିଅଛ, ଆମ୍ଭେମାନେ କାହିଁକି ମିସରରୁ ବାହାରି ଆସିଲୁ।’”

21ତେବେ ମୋଶା କହିଲେ, “ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ଛଅ ଲକ୍ଷ ପଦାତିକ; ତଥାପି ତୁମ୍ଭେ କହୁଅଛ, ‘ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ।’ 22ସେମାନଙ୍କୁ ଅଣ୍ଟିବା ଭଳି କʼଣ ପଲ ପଲ ଗୋମେଷ ବଧ କରାଯିବ? ଅବା ସେମାନଙ୍କୁ ଅଣ୍ଟିବା ଭଳି ସମୁଦ୍ରର ସବୁ ମାଛ କʼଣ ଏକତ୍ର କରାଯିବ?”

23ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସଦାପ୍ରଭୁଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି? ତୁମ୍ଭ ପ୍ରତି ଆମ୍ଭର ବାକ୍ୟ ସଫଳ ହେବ କି ନାହିଁ, ତୁମ୍ଭେ ଏବେ ତାହା ଦେଖିବ।” 24ଏଥିରେ ମୋଶା ବାହାରକୁ ଯାଇ ଲୋକମାନଙ୍କୁ ସଦାପ୍ରଭୁଙ୍କର କଥା କହିଲେ, ପୁଣି, ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ୟରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗରେ ରଖିଲେ। 25ତହିଁରେ ସଦାପ୍ରଭୁ ମେଘରେ ଓହ୍ଲାଇ ତାଙ୍କ ସହିତ କଥା କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠାରେ ଥିଲା, ତହିଁରୁ ନେଇ ସତୁରି ପ୍ରାଚୀନଙ୍କୁ ଦେଲେ; ପୁଣି, ସେହି ଆତ୍ମା ସେମାନଙ୍କ ଉପରେ ଅବସ୍ଥାନ କରନ୍ତେ, ସେମାନେ ଭବିଷ୍ୟତ କଥା ପ୍ରଚାର କଲେ, ମାତ୍ର ତହିଁ ଉତ୍ତାରେ ଆଉ କଲେ ନାହିଁ। 26ମାତ୍ର ଛାଉଣି ମଧ୍ୟରେ ଦୁଇ ଜଣ ଅବଶିଷ୍ଟ ରହିଲେ, ଜଣକର ନାମ ଇଲଦଦ୍‍ ଓ ଅନ୍ୟର ନାମ ମେଦଦ୍‍; ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥିତି କଲା; ସେମାନେ ସେହି ଲିଖିତ ଲୋକମାନଙ୍କ ମଧ୍ୟରେ ଥିଲେ, ମାତ୍ର ବାହାର ହୋଇ ତମ୍ବୁ ନିକଟକୁ ଯାଇ ନ ଥିଲେ; ସେମାନେ ଛାଉଣି ମଧ୍ୟରେ ଥାଇ ଭବିଷ୍ୟତ କଥା ପ୍ରଚାର କଲେ। 27ତହୁଁ ଜଣେ ଯୁବା ଦୌଡ଼ିଯାଇ ମୋଶାଙ୍କୁ କହିଲା, “ଇଲଦଦ୍‍ ଓ ମେଦଦ୍‍ ଛାଉଣି ମଧ୍ୟରେ ଭବିଷ୍ୟତ କଥା ପ୍ରଚାର କରୁଅଛନ୍ତି।” 28ତହିଁରେ (ନୂନର ପୁତ୍ର ଯିହୋଶୂୟ ନାମକ) ମୋଶାଙ୍କର ଜଣେ ମନୋନୀତ ପରିଚାରକ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ ମୋଶା, ସେମାନଙ୍କୁ ନିଷେଧ କରନ୍ତୁ।” 29ତେବେ ମୋଶା କହିଲେ, “ତୁମ୍ଭେ ମୋʼ ସକାଶୁ କʼଣ ଈର୍ଷା କରୁଅଛ? ପରମେଶ୍ୱର କରନ୍ତୁ, ସଦାପ୍ରଭୁଙ୍କର ସମସ୍ତ ଲୋକ ଭବିଷ୍ୟଦ୍‍ବକ୍ତା ହୁଅନ୍ତୁ ଓ ସଦାପ୍ରଭୁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ!” 30ଏଉତ୍ତାରେ ମୋଶା ଓ ଇସ୍ରାଏଲର ପ୍ରାଚୀନଗଣ ଛାଉଣିକୁ ଗମନ କଲେ।