କିଣାନକୁ ଦୂତ ପ୍ରେରଣ
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ଆମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଯେଉଁ କିଣାନ ଦେଶ ଦେବା, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ, ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।” 3ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ; ସେହି ଲୋକ ସମସ୍ତେ ଇସ୍ରାଏଲ-ସନ୍ତାନଗଣର ପ୍ରଧାନ ଥିଲେ। 4ସେମାନଙ୍କର ନାମ ଏହି: ରୁବେନ୍ ବଂଶ ମଧ୍ୟରୁ ସକ୍କୁରର ପୁତ୍ର ଶମ୍ମୂୟ; 5ଶିମୀୟୋନ ବଂଶ ମଧ୍ୟରୁ ହୋରିର ପୁତ୍ର ଶାଫଟ; 6ଯିହୁଦା ବଂଶ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ; 7ଇଷାଖର ବଂଶ ମଧ୍ୟରୁ ଯୋଷେଫର ପୁତ୍ର ଯିଗାଲ; 8ଇଫ୍ରୟିମ ବଂଶ ମଧ୍ୟରୁ ନୂନର ପୁତ୍ର ହୋଶେୟ; 9ବିନ୍ୟାମୀନ୍ ବଂଶ ମଧ୍ୟରୁ ରାଫୂର ପୁତ୍ର ପଲ୍ଟି; 10ସବୂଲୂନ ବଂଶ ମଧ୍ୟରୁ ସୋଦିର ପୁତ୍ର ଗଦ୍ଦୀୟେଲ; 11ଯୋଷେଫ-ବଂଶ ମଧ୍ୟରୁ, ଅର୍ଥାତ୍, ମନଃଶି ବଂଶ ମଧ୍ୟରୁ ସୂଷିର ପୁତ୍ର ଗଦ୍ଦି; 12ଦାନ୍ ବଂଶ ମଧ୍ୟରୁ ଗମଲ୍ଲୀର ପୁତ୍ର ଅମ୍ମୀୟେଲ; 13ଆଶେର ବଂଶ ମଧ୍ୟରୁ ମୀଖାୟେଲର ପୁତ୍ର ସଥୁର; 14ନପ୍ତାଲି ବଂଶ ମଧ୍ୟରୁ ବପ୍ସିର ପୁତ୍ର ନହବି; 15ଗାଦ୍ ବଂଶ ମଧ୍ୟରୁ ମାଖିର ପୁତ୍ର ଗୂୟେଲ। 16ମୋଶା ଯେଉଁ ଲୋକମାନଙ୍କୁ ଦେଶ ଅନୁସନ୍ଧାନ କରିବାକୁ ପଠାଇଥିଲେ, ସେମାନଙ୍କର ନାମ ଏହି, ଆଉ ମୋଶା, ନୂନର ପୁତ୍ର ହୋଶେୟଙ୍କୁ ଯିହୋଶୂୟ ନାମ ଦେଲେ।
17ଆଉ ମୋଶା ଏମାନଙ୍କୁ କିଣାନ ଦେଶ ଅନୁସନ୍ଧାନ କରିବାକୁ ପଠାଇ କହିଲେ, “ତୁମ୍ଭେମାନେ ଏହି ଦକ୍ଷିଣ ଦିଗ ଦେଇ ପର୍ବତ ଆରୋହଣ କର; 18ପୁଣି, ସେହି ଦେଶ କିପରି ଓ ତହିଁରେ ବାସକାରୀ ଲୋକମାନେ ବଳବାନ କି ଦୁର୍ବଳ ଓ ଅଳ୍ପ କି ଅନେକ; 19ପୁଣି, ସେମାନେ ଯେଉଁ ଦେଶରେ ବାସ କରନ୍ତି, ତାହା ଭଲ କି ମନ୍ଦ ଓ ଯେଉଁ ଯେଉଁ ନଗରରେ ବାସ କରନ୍ତି, ତାହା କି ପ୍ରକାର; ସେମାନେ ତମ୍ବୁରେ କି ଗଡ଼ରେ, କାହିଁରେ ବାସ କରନ୍ତି; 20ପୁଣି, ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ।” ସେହି ସମୟରେ ପ୍ରଥମ ପକ୍ୱ ଦ୍ରାକ୍ଷାଫଳର ସମୟ ଥିଲା।
21ଏଣୁ ସେମାନେ ସୀନ୍ ପ୍ରାନ୍ତରରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନସ୍ଥିତ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ। 22ଆଉ ସେମାନେ ଦକ୍ଷିଣ ଦିଗ ଦେଇ ଯାଇ ହିବ୍ରୋଣରେ ଉପସ୍ଥିତ ହେଲେ; ସେହି ସ୍ଥାନରେ ଅହୀମାନ୍, ଶେଶୟ ଓ ତଲ୍ମୟ, ଅନାକର ଏହି ସନ୍ତାନମାନେ ଥିଲେ। ମିସରସ୍ଥିତ ସୋୟନ-ପତ୍ତନର ସାତ ବର୍ଷ ପୂର୍ବେ ହିବ୍ରୋଣର ପତ୍ତନ ହୋଇଥିଲା। 23ଏଉତ୍ତାରେ ସେମାନେ ଇଷ୍କୋଲ-ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇ ଜଣ ସାଙ୍ଗୀରେ ବହିଲେ; ସେମାନେ ଡାଳିମ୍ବ ଓ ଡିମ୍ବିରି ଫଳ ମଧ୍ୟ ଆଣିଲେ। 24ଇସ୍ରାଏଲ-ସନ୍ତାନଗଣ ଯେଉଁ ଦ୍ରାକ୍ଷାପେଣ୍ଡା କାଟିଥିଲେ, ତହିଁ ସକାଶୁ ସେହି ସ୍ଥାନ ଇଷ୍କୋଲ (ପେଣ୍ଡା) ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା।


