ଦୂତମାନଙ୍କ ବିବରଣ
25ଆଉ ଚାଳିଶ ଦିନ ଉତ୍ତାରେ ସେମାନେ ଦେଶ ଅନୁସନ୍ଧାନ କରି ଫେରି ଆସିଲେ। 26ଏଥିଉତ୍ତାରେ ସେମାନେ ଆସି ପାରଣ ପ୍ରାନ୍ତରସ୍ଥ କାଦେଶ ନାମକ ସ୍ଥାନରେ ମୋଶା, ହାରୋଣ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ଡଳୀକୁ ସମାଚାର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ। 27ପୁଣି, ସେମାନେ ବର୍ଣ୍ଣନା କରି ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ; ଆଉ ତାହା ଦୁଗ୍ଧ ଓ ମଧୁ ପ୍ରବାହୀ ଅଟେ ଓ ଏହା ତହିଁର ଫଳ। 28ତଥାପି ସେହି ଦେଶ ନିବାସୀମାନେ ବଳବାନ ଓ ନଗରସବୁ ପ୍ରାଚୀର-ବେଷ୍ଟିତ ଓ ଅତି ବଡ଼; ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନଗଣକୁ ଦେଖିଲୁ। 29ଦକ୍ଷିଣ ଦେଶରେ ଅମାଲେକ ବାସ କରନ୍ତି; ପୁଣି, ପର୍ବତରେ ହିତ୍ତୀୟ, ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି; ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।”
30ତହିଁରେ କାଲେବ ମୋଶାଙ୍କ ପକ୍ଷରୁ ଲୋକମାନଙ୍କୁ କ୍ଷାନ୍ତ କରି କହିଲେ, “ଆସ, ଆମ୍ଭେମାନେ ଏହିକ୍ଷଣି ଉଠିଯାଇ ତାହା ଅଧିକାର କରୁ; ତାହା ପରାସ୍ତ କରିବାକୁ ଆମ୍ଭେମାନେ ସକ୍ଷମ ଅଟୁ।” 31ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ।” 32ଏହିରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ, ଇସ୍ରାଏଲ-ସନ୍ତାନଗଣ ନିକଟରେ ସେହି ଦେଶର ଅଖ୍ୟାତି କରି କହିଲେ, “ଆମ୍ଭେମାନେ ଯେଉଁ ଦେଶର ମଧ୍ୟଦେଇ ଅନୁସନ୍ଧାନ କରିବାକୁ ଯାଇଥିଲୁ, ସେହି ଦେଶ ସ୍ୱନିବାସୀମାନଙ୍କୁ ଗ୍ରାସ କରେ, ପୁଣି, ତହିଁ ମଧ୍ୟରେ ଆମ୍ଭେମାନେ ଯେତେ ଲୋକଙ୍କୁ ଦେଖିଲୁ, ସେମାନେ ବଡ଼ ଡେଙ୍ଗା। 33ଆଉ ସେ ସ୍ଥାନରେ ଆମ୍ଭେମାନେ ମହାବୀରଜାତ ଅନାକର ସନ୍ତାନ ମହାବୀରଗଣକୁ ଦେଖିଲୁ; ଆଉ ଆମ୍ଭେମାନେ ଆପଣାମାନଙ୍କ ଦୃଷ୍ଟିରେ ଫଡ଼ିଙ୍ଗ ପରି ହେଲୁ ଓ ସେମାନଙ୍କ ଦୃଷ୍ଟିରେ ମଧ୍ୟ ସେରୂପ ଥିଲୁ।”


