ଲୋକମାନଙ୍କ ବିଦ୍ରୋହ
1ଏଥିରେ ସମସ୍ତ ମଣ୍ଡଳୀ ଉଚ୍ଚସ୍ୱରରେ କୋଳାହଳ କଲେ ଓ ଲୋକମାନେ ସେହି ରାତ୍ରି ରୋଦନ କଲେ। 2ପୁଣି, ଇସ୍ରାଏଲ-ସନ୍ତାନଗଣ ସମସ୍ତେ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କଲେ ଓ ସମସ୍ତ ମଣ୍ଡଳୀ ସେମାନଙ୍କ ଆଗରେ କହିଲେ, “ଆହା, ଆମ୍ଭେମାନେ ମିସର ଦେଶରେ ନଚେତ୍ ଏହି ପ୍ରାନ୍ତରରେ ମରିଥାʼନ୍ତୁ! ଆହା, ଆମ୍ଭେମାନେ ଯଦି ଏହି ପ୍ରାନ୍ତରରେ ମରିଥାʼନ୍ତୁ! 3ସଦାପ୍ରଭୁ ଆମ୍ଭମାନଙ୍କୁ ଖଡ୍ଗରେ ନିପାତ କରିବା ପାଇଁ କାହିଁକି ଏ ଦେଶକୁ ଆଣିଅଛନ୍ତି? ଯଦ୍ଦ୍ୱାରା ଆମ୍ଭମାନଙ୍କର ଭାର୍ଯ୍ୟା ଓ ବାଳକମାନେ ଲୁଟିତ ହେବେ; ମିସରକୁ ଫେରିଗଲେ କି ଆମ୍ଭମାନଙ୍କ ପାଇଁ ଭଲ ହୁଅନ୍ତା ନାହିଁ?” 4ଏଥିରେ ସେମାନେ ପରସ୍ପରକୁ କହିଲେ, “ଆସ, ଆମ୍ଭେମାନେ ଜଣକୁ ପ୍ରଧାନ କରି ମିସରକୁ ଫେରିଯାଉ।” 5ତହିଁରେ ମୋଶା ଓ ହାରୋଣ ଇସ୍ରାଏଲ-ସନ୍ତାନଗଣର ସମସ୍ତ ସମାଜ ଆଗରେ ମୁହଁ ମାଡ଼ି ପଡ଼ିଲେ। 6ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଆପଣା ଆପଣା ବସ୍ତ୍ର ଚିରିଲେ; 7ଆଉ ସେମାନେ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀକୁ କହିଲେ, “ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ, ତାହା ଅତ୍ୟନ୍ତ ଉତ୍ତମ ଦେଶ ଅଟେ। 8ଯଦି ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ନେବେ ଓ ତାହା ଆମ୍ଭମାନଙ୍କୁ ଦେବେ; ସେହି ଦେଶ ଦୁଗ୍ଧ ଓ ମଧୁ ପ୍ରବାହୀ ଅଟେ। 9କେବଳ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହୁଅ ନାହିଁ, କିଅବା ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ, କାରଣ ସେମାନେ ଆମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ; ସେମାନଙ୍କ ଆଶ୍ରୟ ସେମାନଙ୍କ ଉପରୁ ଘୁଞ୍ଚାଗଲାଣି, ପୁଣି, ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି; ସେମାନଙ୍କୁ ଭୟ କର ନାହିଁ।” 10ମାତ୍ର ସମସ୍ତ ମଣ୍ଡଳୀ ସେମାନଙ୍କୁ ପଥରରେ ମାରିବାକୁ କହିଲେ। ସେତେବେଳେ ସଦାପ୍ରଭୁଙ୍କର ପ୍ରତାପ ସମାଗମ-ତମ୍ବୁରେ ଇସ୍ରାଏଲର ସମସ୍ତ ସନ୍ତାନ ପ୍ରତି ପ୍ରକାଶିତ ହେଲା।


