ମୋଶାଙ୍କ ପ୍ରାର୍ଥନା
11ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ଅବଜ୍ଞା କରିବେ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପେ ଯେଉଁ ସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ? 12ଆମ୍ଭେ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା ଓ ସେମାନଙ୍କୁ ଅଧିକାରଚ୍ୟୁତ କରିବା, ପୁଣି, ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଗୋଷ୍ଠୀ କରିବା।” 13ଏଥିରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିସରୀୟ ଲୋକମାନେ ତ ଏହା ଶୁଣିବେ; କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ। 14ପୁଣି, ସେମାନେ ଏ ଦେଶ ନିବାସୀମାନଙ୍କୁ ତାହା କହିବେ; ସେମାନେ ଶୁଣିଅଛନ୍ତି ଯେ, ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧ୍ୟବର୍ତ୍ତୀ ଅଟ; କାରଣ ତୁମ୍ଭେ ସଦାପ୍ରଭୁ ପ୍ରତ୍ୟକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସେମାନଙ୍କ ଉପରେ ସ୍ଥିତି କରୁଅଛି ଓ ତୁମ୍ଭେ ଦିନ ସମୟରେ ମେଘ ସ୍ତମ୍ଭରେ ଓ ରାତ୍ରି ସମୟରେ ଅଗ୍ନିସ୍ତମ୍ଭରେ ସେମାନଙ୍କ ଆଗେ ଆଗେ ଗମନ କରୁଅଛ। 15ବର୍ତ୍ତମାନ ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକ ମନୁଷ୍ୟ ତୁଲ୍ୟ ବଧ କରିବ, ତେବେ ଯେଉଁ ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର କୀର୍ତ୍ତିର କଥା ଶୁଣିଅଛନ୍ତି, ସେମାନେ କହିବେ, 16‘ସଦାପ୍ରଭୁ ଏହି ଲୋକମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଥିଲେ, ସେହି ଦେଶକୁ ସେମାନଙ୍କୁ ଆଣି ପାରିଲେ ନାହିଁ, ଏହେତୁ ସେ ସେମାନଙ୍କୁ ପ୍ରାନ୍ତରରେ ବଧ କରିଅଛନ୍ତି।’ 17ଏବେ ମୁଁ ବିନୟ କରୁଅଛି, ପ୍ରଭୁଙ୍କ ପରାକ୍ରମ ମହାନ ହେଉ, ଯେପରି ତୁମ୍ଭେ କହିଅଛ, 18‘ସଦାପ୍ରଭୁ କ୍ରୋଧରେ ଧୀର, ଦୟାରେ ପରିପୂର୍ଣ୍ଣ, ଅପରାଧ ଓ ଆଜ୍ଞା-ଲଙ୍ଘନର କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା; ପୁଣି, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣ ଉପରେ ପିତୃଗଣଙ୍କର ଅପରାଧର ପ୍ରତିଫଳଦାତା।’ 19ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଓ ତୁମ୍ଭେ ଏହି ଲୋକମାନଙ୍କୁ ମିସରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ, ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।”


