ହାରୋଣଙ୍କ ପୁତ୍ରଗଣ

1ଯେଉଁ ଦିନ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ସଙ୍ଗେ କଥା କହିଲେ, ସେହି ଦିନ ହାରୋଣ ଓ ମୋଶାଙ୍କର ବଂଶାବଳୀ ଏହି। 2ହାରୋଣଙ୍କର ପୁତ୍ରଗଣର ନାମ ଏହି; ପ୍ରଥମଜାତ ନାଦବ୍‍, ତହୁଁ ଅବୀହୂ ଓ ଇଲୀୟାସର ଓ ଈଥାମର। 3ହାରୋଣଙ୍କର ଯେଉଁ ପୁତ୍ରମାନେ ଯାଜକ ରୂପେ ଅଭିଷିକ୍ତ ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜକର କର୍ମ କରିବା ପାଇଁ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ଏହି। 4ମାତ୍ର ନାଦବ୍‍ ଓ ଅବୀହୂ ସୀନୟ ପ୍ରାନ୍ତରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଇତର ଅଗ୍ନି ଉତ୍ସର୍ଗ କରି ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାଣତ୍ୟାଗ କରିଥିଲେ, ସେମାନଙ୍କର ସନ୍ତାନ ନ ଥିଲା; ଏଥିସକାଶୁ ଇଲୀୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ସାକ୍ଷାତରେ ଯାଜକ କର୍ମ କଲେ।