ବଚସାକାରୀଙ୍କ ପ୍ରତି ସଦାପ୍ରଭୁଙ୍କ ବିଚାର
20ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭର ଅନୁରୋଧନୁସାରେ ସେମାନଙ୍କୁ କ୍ଷମା କଲୁ। 21ମାତ୍ର ଯଦି ଆମ୍ଭେ ଜୀବିତ ହେଉ, ଆଉ ଯଦି ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେବ, 22ତେବେ ଏମାନଙ୍କ ମଧ୍ୟରୁ ଯେତେ ଲୋକ ଆମ୍ଭର ପ୍ରତାପ, ପୁଣି, ମିସରରେ ଓ ପ୍ରାନ୍ତରରେ କୃତ ଆମ୍ଭର ଚିହ୍ନସ୍ୱରୂପ କର୍ମ ଦେଖିଲେ ମଧ୍ୟ ଦଶ ଥର ଆମ୍ଭର ପରୀକ୍ଷା କରିଅଛନ୍ତି ଓ ଆମ୍ଭ ରବରେ ଅମନୋଯୋଗୀ ହୋଇଅଛନ୍ତି, 23ସେମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ନିଶ୍ଚୟ ଏମାନଙ୍କ ମଧ୍ୟରୁ କେହି ସେହି ଦେଶ ଦେଖି ପାରିବେ ନାହିଁ; କିଅବା ଯେଉଁମାନେ ଆମ୍ଭଙ୍କୁ ଅବଜ୍ଞା କରିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବ ନାହିଁ; 24ମାତ୍ର ଆମ୍ଭର ସେବକ କାଲେବଠାରେ ଅନ୍ୟ ଆତ୍ମା ଅଛି ଓ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି, ଏଥିପାଇଁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ। 25ବର୍ତ୍ତମାନ ଅମାଲେକୀୟ ଓ କିଣାନୀୟମାନେ ତଳଭୂମିରେ ବାସ କରନ୍ତି; କାଲି ତୁମ୍ଭେମାନେ ଫେରି ସୂଫ ସାଗରକୁ ଯିବା ପଥ ଦେଇ ପ୍ରାନ୍ତରକୁ ଗମନ କର।”
26ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, 27“ଆମ୍ଭ ବିରୁଦ୍ଧରେ ବଚସା କରୁଅଛି, ଏହି ଯେଉଁ ଦୁଷ୍ଟ ମଣ୍ଡଳୀ, ତାହାକୁ ଆମ୍ଭେ କେତେ କାଳ ସହିବା? ଇସ୍ରାଏଲ-ସନ୍ତାନଗଣ ଆମ୍ଭ ପ୍ରତିକୂଳରେ ଯେଉଁ ବଚସା କରୁଅଛନ୍ତି, ତାହା ଆମ୍ଭେ ଶୁଣିଅଛୁ। 28ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଯଦି ଜୀବିତ ହେଉ, ତେବେ ତୁମ୍ଭେମାନେ ଆମ୍ଭ କର୍ଣ୍ଣଗୋଚରରେ ଯାହା କହିଅଛ, ତାହା ହିଁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି କରିବା। 29ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ; ତୁମ୍ଭମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କର ସମ୍ପୂର୍ଣ୍ଣ ସଂଖ୍ୟାନୁସାରେ ଗଣିତ ଯେତେ ଲୋକ, ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ବଚସା କରିଅଛ, 30ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶରେ ବାସ କରାଇବାକୁ ପ୍ରତିଜ୍ଞା କରିଅଛୁ, ନିଶ୍ଚୟ ସେହି ଦେଶରେ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟଙ୍କ ବ୍ୟତୀତ ତୁମ୍ଭେମାନେ କେହି ପ୍ରବେଶ କରିବ ନାହିଁ। 31ମାତ୍ର ତୁମ୍ଭେମାନେ ଆପଣା ଆପଣାର ଯେଉଁ ବାଳକଗଣଙ୍କ ବିଷୟରେ ସେମାନେ ଲୁଟିତ ହେବେ ବୋଲି କହିଥିଲ, ସେମାନଙ୍କୁ ଆମ୍ଭେ ସେହି ସ୍ଥାନକୁ ଆଣିବା ଓ ତୁମ୍ଭେମାନେ ଯେଉଁ ଦେଶକୁ ତୁଚ୍ଛଜ୍ଞାନ କରିଅଛ, ସେମାନେ ତହିଁର ପରିଚୟ ପାଇବେ। 32ମାତ୍ର ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ। 33ପୁଣି, ତୁମ୍ଭମାନଙ୍କ ସନ୍ତାନଗଣଙ୍କ ଚାଳିଶ ବର୍ଷ ଏହି ପ୍ରାନ୍ତରରେ ଭ୍ରମଣକାରୀ ହେବେ ଓ ଏହି ପ୍ରାନ୍ତରରେ ତୁମ୍ଭମାନଙ୍କ ଶବ ନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କ ବ୍ୟଭିଚାରର ଫଳ ଭୋଗ କରିବେ। 34ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ। 35ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଆମ୍ଭ ବିରୁଦ୍ଧରେ ଯେଉଁ ଦୁଷ୍ଟ ମଣ୍ଡଳୀ ଏକତ୍ରିତ ହୋଇଅଛି, ତାହା ପ୍ରତି ଆମ୍ଭେ ତାହା ନିଶ୍ଚୟ କରିବା, ପୁଣି, ସେମାନେ ଏହି ପ୍ରାନ୍ତରରେ ନଷ୍ଟ ହେବେ ଓ ଏହି ସ୍ଥାନରେ ସେମାନେ ମରିବେ।’”
36ଆଉ ଦେଶ ଅନୁସନ୍ଧାନ କରିବା ପାଇଁ ମୋଶାଙ୍କର ପ୍ରେରିତ ଯେଉଁ ଲୋକମାନେ ଫେରିଆସି ସେହି ଦେଶର ଅଖ୍ୟାତି ଆଣି ସଦାପ୍ରଭୁଙ୍କ ବିରୁଦ୍ଧରେ ସମସ୍ତ ମଣ୍ଡଳୀକୁ ବଚସା କରାଇଥିଲେ, 37ଦେଶର ଅଖ୍ୟାତିକାରୀ ସେହି ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମହାମାରୀ ଦ୍ୱାରା ମଲେ। 38ମାତ୍ର ଯେଉଁ ମନୁଷ୍ୟମାନେ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଜୀବିତ ରହିଲେ।


