ଭ୍ରାନ୍ତିଜନକ ପାପ ସଂକ୍ରାନ୍ତୀୟ ବିଧି

22ଆଉ ଯଦି ତୁମ୍ଭେମାନେ ଭ୍ରାନ୍ତିରେ ତ୍ରୁଟି କର ଓ ସଦାପ୍ରଭୁ ମୋଶାଙ୍କୁ ଯାହା କହିଅଛନ୍ତି, ସେହି ସବୁ ଆଜ୍ଞା, 23ଅର୍ଥାତ୍‍, ସଦାପ୍ରଭୁ ଆଜ୍ଞା ଦେବା ଦିନାବଧି ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁସବୁ ଆଜ୍ଞା ଦେଇଅଛନ୍ତି, ତାହାସବୁ ଯଦି ପାଳନ ନ କର; 24ଯଦି ତାହା ମଣ୍ଡଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ, ତେବେ ସମସ୍ତ ମଣ୍ଡଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଓ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଉତ୍ସର୍ଗ କରିବେ। 25ଆଉ ଯାଜକ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେହି ଭ୍ରାନ୍ତି ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଉପହାର, ଅର୍ଥାତ୍‍, ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣିଅଛନ୍ତି। 26ତହିଁରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକମାନେ କ୍ଷମା ପାଇବେ; କାରଣ ସମସ୍ତ ଲୋକଙ୍କ ସମ୍ବନ୍ଧରେ ଏହା ଭ୍ରାନ୍ତିରେ କରାଯାଇଥିଲା। 27ଆଉ ଯଦି ଏକ ପ୍ରାଣୀ ଭ୍ରାନ୍ତିରେ ପାପ କରେ, ତେବେ ସେ ପାପାର୍ଥକ ବଳି ରୂପେ ଏକ ବର୍ଷୀୟ ଏକ ଛାଗବତ୍ସା ଆଣିବ। 28ପୁଣି, ଯେଉଁ ଲୋକ ଭ୍ରାନ୍ତିରେ ପାପ କରେ, ଯାଜକ ତାହା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରଣାର୍ଥେ ସେହି ଭ୍ରାନ୍ତ ପ୍ରାଣୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ। 29ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗୃହଜାତ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକମାନଙ୍କ ନିମନ୍ତେ ଭ୍ରାନ୍ତିରେ କୌଣସି କର୍ମକାରୀର ଏକ ବ୍ୟବସ୍ଥା ହେବ।

30ମାତ୍ର ଯେଉଁ ପ୍ରାଣୀ ଊର୍ଦ୍ଧ୍ୱ ହସ୍ତରେ କୌଣସି (ପାପ) କର୍ମ କରେ, ସେ ଗୃହଜାତ ହେଉ ବା ବିଦେଶୀ ହେଉ, ସଦାପ୍ରଭୁଙ୍କର ନିନ୍ଦା କରେ; ଏଣୁ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। 31କାରଣ ସେ ସଦାପ୍ରଭୁଙ୍କ ବାକ୍ୟ ଅବଜ୍ଞା କଲା ଓ ତାହାଙ୍କର ଆଜ୍ଞାଲଙ୍ଘନ କଲା; ସେହି ପ୍ରାଣୀ ନିତାନ୍ତ ଉଚ୍ଛିନ୍ନ ହେବ, ତାହାର ଅପରାଧ ତାହା ଉପରେ ବର୍ତ୍ତିବ।”