ଲେବୀ ଓ ଯାଜକଙ୍କ କାର୍ଯ୍ୟ

1ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭର ପିତୃବଂଶ, ତୁମ୍ଭେମାନେ ପବିତ୍ର ସ୍ଥାନଘଟିତ ଅପରାଧ ବହିବ; ପୁଣି, ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଯାଜକତ୍ୱ-ପଦଘଟିତ ଅପରାଧ ବୋହିବ। 2ଆଉ ତୁମ୍ଭେ ଲେବୀ ବଂଶୀୟ ତୁମ୍ଭର ଭ୍ରାତୃଗଣକୁ, ଅର୍ଥାତ୍‍, ତୁମ୍ଭର ପିତୃବଂଶୀୟମାନଙ୍କୁ ଆପଣା ସଙ୍ଗେ ନିକଟକୁ ଆଣ, ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସେବା କରିବେ; ମାତ୍ର ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ସାକ୍ଷ୍ୟ-ତମ୍ବୁ ସମ୍ମୁଖରେ ରହିବ। 3ପୁଣି, ସେମାନେ ତୁମ୍ଭର ରକ୍ଷଣୀୟ ଓ ସମୁଦାୟ ତମ୍ବୁର ରକ୍ଷଣୀୟ ରକ୍ଷା କରିବେ; ଯେପରି ସେମାନେ, ଅବା ତୁମ୍ଭେମାନେ ନ ମର, ଏଥିପାଇଁ ସେମାନେ କେବଳ ପବିତ୍ର ସ୍ଥାନର ପାତ୍ର ନିକଟକୁ ଓ ବେଦି ନିକଟକୁ ଯିବେ ନାହିଁ। 4ସେମାନେ ତୁମ୍ଭ ସହିତ ଯୋଗ ଦେଇ ତମ୍ବୁର ସମସ୍ତ ସେବାକର୍ମ ଅନୁସାରେ ସମାଗମ-ତମ୍ବୁର ରକ୍ଷଣୀୟ ରକ୍ଷା କରିବେ, ଆଉ କୌଣସି ଅନ୍ୟ ବଂଶୀୟ ଲୋକ ସେମାନଙ୍କ ନିକଟକୁ ଯିବ ନାହିଁ। 5ପୁଣି, ଇସ୍ରାଏଲ-ସନ୍ତାନଗଣ ପ୍ରତି ଯେପରି ଆଉ କ୍ରୋଧ ଉପସ୍ଥିତ ନ ହୁଏ, ଏଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ରକ୍ଷଣୀୟ ଓ ବେଦିର ରକ୍ଷଣୀୟ ରକ୍ଷା କରିବ। 6ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ବୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି। 7ଏଣୁ ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ, ତୁମ୍ଭେମାନେ ବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦ ବସ୍ତ୍ର ଭିତରେ ଆପଣାର ଯାଜକତ୍ୱ ପାଳନ କରିବ ଓ ତୁମ୍ଭେମାନେ ସେବା କରିବ। ଆମ୍ଭେ (ଆପଣା) ଦାନଜନିତ ସେବା ରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ; ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ, ତାହାର ପ୍ରାଣଦଣ୍ଡ ହେବ।”