ଲେବୀୟମାନଙ୍କ ଦାୟିତ୍ୱ

5ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 6“ତୁମ୍ଭେ ଲେବୀୟ ବଂଶକୁ ଆଣି ହାରୋଣ ଯାଜକଙ୍କ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ। 7ଆଉ ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁ ସମ୍ମୁଖରେ ତାହାର ଓ ସମସ୍ତ ମଣ୍ଡଳୀର ରକ୍ଷଣୀୟ ରକ୍ଷା କରିବେ। 8ପୁଣି, ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟ ଓ ଇସ୍ରାଏଲ-ସନ୍ତାନଗଣ ରକ୍ଷଣୀୟ ରକ୍ଷା କରିବେ। 9ଆଉ ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣର ହସ୍ତରେ ଲେବୀୟମାନଙ୍କୁ ସମର୍ପଣ କରିବ; ସେମାନେ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ତାହା ପ୍ରତି ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ, 10ପୁଣି, ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ, ତହିଁରେ ସେମାନେ ଆପଣାମାନଙ୍କ ଯାଜକତ୍ୱ ପଦ ରକ୍ଷା କରିବେ ଓ ଅନ୍ୟ ବଂଶୀୟ ଯେକେହି ନିକଟବର୍ତ୍ତୀ ହେବ, ତାହାର ପ୍ରାଣଦଣ୍ଡ ହେବ।”

11ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 12“ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଗର୍ଭଫଳ ପରିବର୍ତ୍ତରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଗ୍ରହଣ କଲୁ, ଏଣୁ ଲେବୀୟମାନେ ଆମ୍ଭର ହେବେ। 13କାରଣ ପ୍ରଥମଜାତ ସମସ୍ତ ଆମ୍ଭର; ଯେଉଁ ଦିନ ଆମ୍ଭେ ମିସର ଦେଶରେ ପ୍ରଥମଜାତ ସକଳକୁ ଆଘାତ କଲୁ, ସେହି ଦିନ ଆମ୍ଭେ ଇସ୍ରାଏଲ ମଧ୍ୟରେ ମନୁଷ୍ୟ ଓ ପଶୁ ସମସ୍ତ ପ୍ରଥମଜାତକୁ ଆପଣା ଉଦ୍ଦେଶ୍ୟରେ ପବିତ୍ର କଲୁ; ସେମାନେ ଆମ୍ଭର; ଆମ୍ଭେ ସଦାପ୍ରଭୁ ଅଟୁ।”

14ଏଥିଉତ୍ତାରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ମୋଶାଙ୍କୁ କହିଲେ, 15“ଆପଣା ଆପଣା ପିତୃଗୃହ ଓ ଆପଣା ଆପଣା ବଂଶାନୁସାରେ ଲେବୀୟ ସନ୍ତାନଗଣକୁ ଗଣନା କର; ତୁମ୍ଭେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷଙ୍କୁ ଗଣନା କରିବ।” 16ତହିଁରେ ମୋଶା ଆଜ୍ଞାନୁସାରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ଗଣନା କଲେ। 17ଆପଣା ଆପଣା ନାମାନୁସାରେ ଏମାନେ ଲେବୀର ପୁତ୍ରଗଣ; ଯଥା, ଗେର୍ଶୋନ‍, କହାତ ଓ ମରାରି। 18ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନମାନଙ୍କ ନାମ ଲିବ୍‍ନି ଓ ଶିମୀୟି। 19ପୁଣି, ଆପଣା ଆପଣା ବଂଶାନୁସାରେ କହାତର ସନ୍ତାନମାନଙ୍କ ନାମ ଅମ୍ରାମ୍‍, ଯିଷ୍‍ହର, ହିବ୍ରୋଣ ଓ ଉଷୀୟେଲ। 20ପୁଣି, ଆପଣା ଆପଣା ବଂଶାନୁସାରେ ମରାରିର ସନ୍ତାନମାନଙ୍କ ନାମ ମହଲି ଓ ମୂଶି; ଏମାନେ ଆପଣା ଆପଣା ପିତୃଗୃହାନୁସାରେ ଲେବୀୟମାନଙ୍କ ବଂଶ।

21ଗେର୍ଶୋନଠାରୁ ଲିବ୍‍ନୀୟ ବଂଶ ଓ ଶିମୀୟିର ବଂଶ ଉତ୍ପନ୍ନ ହେଲେ; ଏମାନେ ଗେର୍ଶୋନୀୟ ବଂଶ। 22ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଯେଉଁ ସମସ୍ତ ପୁରୁଷ ଗଣିତ ହେଲେ, ସେମାନଙ୍କର ଗଣିତ ଲୋକ ସଂଖ୍ୟା ସାତ ହଜାର ପାଞ୍ଚ ଶହ ହେଲା। 23ଗେର୍ଶୋନୀୟ ବଂଶ ପଶ୍ଚିମ ଦିଗରେ ଆବାସର ପଶ୍ଚାଦ୍‍ ଭାଗରେ ଛାଉଣି ସ୍ଥାପନ କରିବେ। 24ପୁଣି, ଲାୟେଲର ପୁତ୍ର ଇଲୀୟାସଫ୍‍ ଗେର୍ଶୋନୀୟମାନଙ୍କ ପିତୃଗୃହର ଅଧିପତି ହେବ। 25ପୁଣି, ସମାଗମ-ତମ୍ବୁର ଏହି ସମସ୍ତ ଦ୍ରବ୍ୟ ଗେର୍ଶୋନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା, ଆବାସ ଓ ତମ୍ବୁ, ତହିଁର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର, 26ପ୍ରାଙ୍ଗଣର ପରଦାସକଳ, ଆବାସ ଓ ବେଦିର ଚତୁର୍ଦ୍ଦିଗସ୍ଥିତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର ଓ ତହିଁର ସେବାକାର୍ଯ୍ୟ ନିମିତ୍ତ ସମସ୍ତ ରଜ୍ଜୁ।

27ଆଉ କହାତଠାରୁ ଅମ୍ରାମୀୟ ବଂଶ, ଯିଷ୍‍ହରୀୟ ବଂଶ, ହିବ୍ରୋଣୀୟ ବଂଶ ଓ ଉଷୀୟେଲୀୟ ବଂଶ ଉତ୍ପନ୍ନ ହେଲେ; ଏମାନେ କହାତୀୟ ବଂଶ। 28ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନାନୁସାରେ ଆଠ ହଜାର ଛଅ ଶହ ଲୋକ ପବିତ୍ର ସ୍ଥାନର ରକ୍ଷକ ହେଲେ। 29କହାତୀୟ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ। 30ଆଉ ଉଷୀୟେଲର ପୁତ୍ର ଇଲୀଶାଫନ୍‍ କହାତୀୟ ବଂଶର ଅଧିପତି ହେବ। 31ପୁଣି, ସିନ୍ଦୁକ, ମେଜ, ଦୀପବୃକ୍ଷ, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳ ପାତ୍ର, ପରଦା ଓ ତତ୍‍ସମ୍ବନ୍ଧୀୟ ସମସ୍ତ ସେବାକାର୍ଯ୍ୟ ସେମାନଙ୍କର ରକ୍ଷଣୀୟ ହେବ। 32ପୁଣି, ହାରୋଣ ଯାଜକଙ୍କର ପୁତ୍ର ଇଲୀୟାସର ଲେବୀୟ ଅଧିପତିମାନଙ୍କର ଅଧିପତି ହେବ ଓ ପବିତ୍ର ସ୍ଥାନର ରକ୍ଷକମାନଙ୍କ ଉପରେ ତତ୍ତ୍ୱାବଧାନ କରିବ।

33ଆଉ ମରାରିଠାରୁ ମହଲୀୟ ବଂଶ ଓ ମୂଶୀୟ ବଂଶ ଉତ୍ପନ୍ନ ହେଲେ; ଏମାନେ ମରାରୀୟ ବଂଶ। 34ପୁଣି, ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନାନୁସାରେ ଛଅ ହଜାର ଦୁଇ ଶହ ଲୋକ ହେଲେ। 35ଆଉ ଅବୀହୟିଲର ପୁତ୍ର ସୂରୀୟେଲ ମରାରି ବଂଶର ପିତୃଗୃହର ଅଧିପତି ହେଲା; ସେମାନେ ଉତ୍ତର ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ। 36ଆଉ ଆବାସର ପଟା, ଅର୍ଗଳ, ସ୍ତମ୍ଭ, ଚୁଙ୍ଗୀ, ତହିଁର ସମସ୍ତ ଦ୍ରବ୍ୟ ଓ ତତ୍‍ସମ୍ବନ୍ଧୀୟ ସେବାକାର୍ଯ୍ୟ, 37ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥିତ ସ୍ତମ୍ଭ, ତହିଁର ସକଳ ଚୁଙ୍ଗୀ, ମେଖ ଓ ରଜ୍ଜୁ ମରାରି-ସନ୍ତାନଗଣର ନିରୂପିତ ରକ୍ଷଣୀୟ ହେବ।

38ପୁଣି, ଯେଉଁମାନେ ଆବାସର ପୂର୍ବ ଦିଗରେ ସମାଗମ-ତମ୍ବୁ ସମ୍ମୁଖରେ ସୂର୍ଯ୍ୟୋଦୟ ଆଡ଼େ ଛାଉଣି ସ୍ଥାପନ କରିବେ, ସେମାନେ ମୋଶା, ହାରୋଣ ଓ ତାହାର ପୁତ୍ରଗଣ; ଏମାନେ ଇସ୍ରାଏଲ-ସନ୍ତାନଗଣର ରକ୍ଷଣୀୟ ବୋଲି ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କରିବେ; ଆଉ ଅନ୍ୟ ବଂଶୀୟ କୌଣସି ଲୋକ ତହିଁର ନିକଟବର୍ତ୍ତୀ ହେଲେ ହତ ହେବ। 39ଲେବୀୟମାନଙ୍କ ମଧ୍ୟରୁ ଯେଉଁମାନେ ଗଣିତ ହେଲେ, ଯେଉଁମାନଙ୍କୁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ସେମାନଙ୍କ ବଂଶାନୁସାରେ ଗଣନା କଲେ, ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷ ସଂଖ୍ୟାରେ ବାଇଶ ହଜାର ହେଲେ।