ଲେବୀୟମାନଙ୍କ ଅଂଶ
21ଆଉ ଦେଖ, ଲେବୀ-ସନ୍ତାନଗଣ ଯେଉଁ ସେବାକାର୍ଯ୍ୟ କରନ୍ତି, ସମାଗମ-ତମ୍ବୁ ସମ୍ବନ୍ଧୀୟ ସେମାନଙ୍କ ସେହି ସେବାକାର୍ଯ୍ୟର ପରିଶୋଧରେ ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଇସ୍ରାଏଲ ମଧ୍ୟରେ ସମସ୍ତ ଦଶମାଂଶ ଦେଲୁ। 22ଆଉ ଇସ୍ରାଏଲ-ସନ୍ତାନଗଣଙ୍କ ପାପ ବୋହି ଯେପରି ନ ମରନ୍ତି, ଏଥିପାଇଁ, ଏହି ସମୟଠାରୁ ସେମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ। 23ମାତ୍ର ଲେବୀୟମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବେ ଓ ସେମାନେ ଆପଣା ଆପଣା ଅପରାଧ ବୋହିବେ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମସ୍ଥାୟୀ ଅନନ୍ତକାଳୀନ ବିଧି, ପୁଣି, ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ। 24କାରଣ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ଦଶମାଂଶ ଉତ୍ସର୍ଗ କରନ୍ତି, ତାହା ଆମ୍ଭେ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲୁ; ଏହେତୁ ଆମ୍ଭେ ସେମାନଙ୍କ ବିଷୟରେ କହିଲୁ, ‘ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନେ କୌଣସି ଅଧିକାର ପାଇବେ ନାହିଁ।’”
25ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 26“ଆହୁରି ତୁମ୍ଭେ ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ‘ତାହା ଯେଉଁ ସମୟରେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ, ସେହି ସମୟରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ସେହି ଦଶମାଂଶର ଦଶମାଂଶ ଉତ୍ସର୍ଗ କରିବ। 27ତୁମ୍ଭମାନଙ୍କ ଏହି ଉତ୍ତୋଳନୀୟ ଉପହାର ଖଳାର ଶସ୍ୟ ତୁଲ୍ୟ ଓ ଦ୍ରାକ୍ଷାଯନ୍ତ୍ରର ପୂର୍ଣ୍ଣତା ତୁଲ୍ୟ ତୁମ୍ଭମାନଙ୍କ ପକ୍ଷରେ ଗଣାଯିବ। 28ଏହିରୂପେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ; ପୁଣି, ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର ହାରୋଣ ଯାଜକକୁ ଦେବ। 29ତୁମ୍ଭମାନଙ୍କର ପ୍ରାପ୍ତ ସମସ୍ତ ଦାନ ମଧ୍ୟରୁ ସେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର, ଅର୍ଥାତ୍, ତହିଁର ସମସ୍ତ ଉତ୍ତମ ଦ୍ରବ୍ୟରୁ ତହିଁର ପବିତ୍ର ଅଂଶ ଉତ୍ସର୍ଗ କରିବ।’ 30ଏହେତୁ ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ଯେଉଁ ସମୟରେ ତହିଁରୁ ଉତ୍ତମ ଦ୍ରବ୍ୟ ଉତ୍ତୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ, ସେହି ସମୟରେ ତାହା ଲେବୀୟମାନଙ୍କ ପକ୍ଷରେ ଖଳାରୁ ଉତ୍ପନ୍ନ ଦ୍ରବ୍ୟ ଓ ଦ୍ରାକ୍ଷାଯନ୍ତ୍ରରୁ ଉତ୍ପନ୍ନ ଦ୍ରବ୍ୟ ବୋଲି ଗଣାଯିବ। 31ପୁଣି, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ପରିଜନଗଣ ସବୁ ସ୍ଥାନରେ ତାହା ଭୋଜନ କରିବ; କାରଣ ତାହା ସମାଗମ-ତମ୍ବୁରେ କୃତ ତୁମ୍ଭମାନଙ୍କ ସେବାକାର୍ଯ୍ୟ ପରିଶୋଧରେ ତୁମ୍ଭମାନଙ୍କର ପୁରସ୍କାର ଅଟେ। 32ଆଉ ତହିଁରୁ ସେହି ଉତ୍ତମ ଦ୍ରବ୍ୟ ଉପହାର ରୂପେ ଉତ୍ସର୍ଗ କଲେ, ତୁମ୍ଭେମାନେ ତଦ୍ଦ୍ୱାରା ଘଟିତ କୌଣସି ପାପ ବୋହିବ ନାହିଁ; ପୁଣି, ତୁମ୍ଭେମାନେ ଯେପରି ନ ମର, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ।’”


