ଶୁଚିକରଣ ବିଧି

1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, 2“ସଦାପ୍ରଭୁ ଏହି ଶାସ୍ତ୍ରୀୟ ବିଧି କହି ଆଜ୍ଞା ଦେଇଅଛନ୍ତି, ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ଯେଉଁଠାରେ କଳଙ୍କ ନାହିଁ ଓ ଯାହା ଉପରେ କେବେ ଯୁଆଳି ଦିଆଯାଇ ନାହିଁ, ଏପରି ଏକ ନିଖୁନ୍ତା ଲାଲି ଗାଭୀକୁ ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ। 3ତହୁଁ ତୁମ୍ଭେମାନେ ସେହି ଗାଭୀକୁ ଇଲୀୟାସର ଯାଜକକୁ ଦେବ, ପୁଣି, ସେ ତାହାକୁ ଛାଉଣି ବାହାରକୁ ଆଣନ୍ତେ, ଜଣେ ତାହା ସମ୍ମୁଖରେ ତାକୁ ବଧ କରିବ। 4ତହିଁରେ ଇଲୀୟାସର ଯାଜକ ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତରୁ ନେଇ ସମାଗମ-ତମ୍ବୁ ସମ୍ମୁଖରେ ସାତ ଥର ତାହାର ରକ୍ତ ସେଚନ କରିବ। 5ଆଉ ଜଣେ ତାହାର ଦୃଷ୍ଟିଗୋଚରରେ ସେହି ଗାଭୀକୁ ଦଗ୍ଧ କରିବ; ସେ ତାହାର ଗୋମୟ ସହିତ ଚର୍ମ ଓ ମାଂସ ଓ ରକ୍ତ ଦଗ୍ଧ କରିବ। 6ତହୁଁ ଯାଜକ ଏରସ କାଠ, ଏସୋବ ଓ ସିନ୍ଦୂର ବର୍ଣ୍ଣ (ଲୋମ) ନେଇ ସେହି ଗାଭୀଦାହର ଅଗ୍ନି ମଧ୍ୟରେ ପକାଇବ। 7ତେବେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଶରୀରକୁ ଜଳରେ ସ୍ନାନ କରାଇବ; ତହିଁ ଉତ୍ତାରେ ସେ ଛାଉଣିକୁ ଆସିବ, ପୁଣି, ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 8ଆଉ ଯେଉଁ ଲୋକ ସେହି ଗାଭୀକୁ ଦଗ୍ଧ କରିବ, ସେ ଜଳରେ ଆପଣା ବସ୍ତ୍ର ଧୋଇବ, ଆପଣା ଶରୀରକୁ ଜଳରେ ସ୍ନାନ କରାଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 9ଏଉତ୍ତାରେ କୌଣସି ଶୁଚି ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନରେ ରହିବ; ପୁଣି, ତାହା ଇସ୍ରାଏଲ-ସନ୍ତାନଗଣଙ୍କର ମଣ୍ଡଳୀ ପାଇଁ ଅଶୌଚାର୍ଥକ ଜଳ ନିମନ୍ତେ ରଖାଯିବ; ତାହା ପାପାର୍ଥକ ବଳି ଅଟେ। 10ଆଉ ଯେଉଁ ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଏହା ଇସ୍ରାଏଲ-ସନ୍ତାନଗଣର ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀର ପାଳନୀୟ ଅନନ୍ତକାଳୀନ ବିଧି ହେବ।