ଶବ ସହିତ ସଂସ୍ପର୍ଶ
11ପୁଣି, ଯେକେହି କୌଣସି ମନୁଷ୍ୟର ଶବ ଛୁଏଁ, ସେ ସାତ ଦିନ ଅଶୁଚି ହେବ। 12ସେ ତୃତୀୟ ଦିନରେ ତଦ୍ଦ୍ୱାରା ଆପଣାକୁ ପରିଷ୍କାର କରିବ, ସପ୍ତମ ଦିନରେ ସେ ଶୁଚି ହେବ; ମାତ୍ର ଯଦି ସେ ତୃତୀୟ ଦିନରେ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ। 13ଯଦି କେହି କୌଣସି ମୃତ ମନୁଷ୍ୟର ଶବ ଛୁଇଁ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସଦାପ୍ରଭୁଙ୍କ ଆବାସ ଅଶୁଚି କରେ; ସେହି ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ; ତାହା ଉପରେ ଅଶୌଚାର୍ଥକ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ; ତାହାର ଅଶୁଚିତା ତାହାଠାରେ ଥାଏ।
14କୌଣସି ମନୁଷ୍ୟ ତମ୍ବୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି; ଯେକେହି ସେହି ତମ୍ବୁକୁ ଆସେ ଓ ସେହି ତମ୍ବୁରେ ଥାଏ, ସେ ସାତ ଦିନ ଅଶୁଚି ହୋଇ ରହିବ। 15ଆଉ ପ୍ରତ୍ୟେକ ମେଲା ପାତ୍ର, ଯହିଁରେ ଢାଙ୍କୁଣୀ ବନ୍ଧା ନ ଥାଏ, ତାହା ଅଶୁଚି ହେବ। 16ପୁଣି, ଯେକେହି ମେଲା କ୍ଷେତ୍ରରେ ଖଡ୍ଗହତ କିମ୍ବା ମୃତ ଦେହ କିମ୍ବା ମନୁଷ୍ୟର ଅସ୍ଥି କିମ୍ବା କବର ଛୁଏଁ, ସେ ସାତ ଦିନ ଅଶୁଚି ହେବ। 17ଆଉ ଲୋକମାନେ ସେହି ଅଶୁଚି ଲୋକ ନିମନ୍ତେ ପାପାର୍ଥରେ ଦଗ୍ଧ ବଳିର ଭସ୍ମ ନେବେ ଓ ଏକ ପାତ୍ରରେ ତାହା ରଖି ତହିଁ ଉପରେ ସ୍ରୋତଜଳ ଦିଆଯିବ। 18ଏଉତ୍ତାରେ କୌଣସି ଶୁଚି ମନୁଷ୍ୟ ଏସୋବ ଶାଖା ନେଇ ଏହି ଜଳରେ ଡୁବାଇ ସେହି ତମ୍ବୁ ଉପରେ ଓ ସମସ୍ତ ପାତ୍ର ଉପରେ ଓ ସେଠାରେ ଥିବା ସମସ୍ତ ଲୋକ ଉପରେ, ପୁଣି, ଅସ୍ଥି କିମ୍ବା ହତ କିମ୍ବା ମୃତ କିମ୍ବା କବର ଛୁଇଁବା ଲୋକ ଉପରେ ତାହା ଛିଞ୍ଚିବ। 19ପୁଣି, ସେହି ଶୁଚି ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ଅଶୁଚି ଲୋକ ଉପରେ ତାହା ଛିଞ୍ଚିବ; ତହୁଁ ସେ ସପ୍ତମ ଦିନରେ ଆପଣାକୁ ପରିଷ୍କାର କରିବ ଓ ଆପଣା ବସ୍ତ୍ର ଧୋଇ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ସମୟରେ ଶୁଚି ହେବ।
20ମାତ୍ର ଯେଉଁ ଲୋକ ଅଶୁଚି ହୋଇ ଆପଣାକୁ ପରିଷ୍କାର ନ କରିବ, ସେହି ପ୍ରାଣୀ ସମାଜ ମଧ୍ୟରୁ ଉଚ୍ଛିନ୍ନ ହେବ, କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା; ତାହା ଉପରେ ଅଶୌଚାର୍ଥକ ଜଳ ସେଚିତ ହେଲା ନାହିଁ; ସେ ଅଶୁଚି। 21ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ; ଆଉ ଯେକେହି ସେହି ଅଶୌଚାର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ; ପୁଣି, ଯେକେହି ସେହି ଅଶୌଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହେବ। 22ପୁଣି, ସେ ଅଶୁଚି ଲୋକ ଯାହା କିଛି ଛୁଏଁ, ତାହା ଅଶୁଚି ହେବ; ଆଉ ଯେଉଁ ପ୍ରାଣୀ ତାହା ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।”


