ଜଳ ନିମନ୍ତେ ବିବାଦ

2ଆଉ ସେହି ସ୍ଥାନରେ ମଣ୍ଡଳୀ ନିମନ୍ତେ ଜଳ ନ ଥିଲା; ତହିଁରେ ଲୋକମାନେ ମୋଶାଙ୍କ ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହେଲେ। 3ପୁଣି, ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ, ଆମ୍ଭମାନଙ୍କ ଭାଇମାନେ ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ, ସେହି ସମୟରେ ଯଦି ଆମ୍ଭେମାନେ ମରିଥାʼନ୍ତୁ। 4ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ବାହାର କରି ଏହି ପ୍ରାନ୍ତରକୁ ଆଣିଲ, ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କର ପଶୁମାନେ ଏହିଠାରେ ମରିବୁ? 5ଆଉ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲ, କି ଏହି କଦର୍ଯ୍ୟ ସ୍ଥାନକୁ ଆଣିବାକୁ? ଏ ତ ଶସ୍ୟ କି ଡିମ୍ବିରି କି ଦ୍ରାକ୍ଷା କି ଡାଳିମ୍ବର ସ୍ଥାନ ନୁହେଁ; କିଅବା ଏଠାରେ ପିଇବାକୁ ଜଳ ନାହିଁ।” 6ଏଥିରେ ମୋଶା ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ-ତମ୍ବୁ ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ; ତହୁଁ ସଦାପ୍ରଭୁଙ୍କ ପ୍ରତାପ ସେମାନଙ୍କ ପ୍ରତି ପ୍ରକାଶ ପାଇଲା। 7ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 8“ତୁମ୍ଭେ ଯଷ୍ଟି ନିଅ, ପୁଣି, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ମଣ୍ଡଳୀକୁ ଏକତ୍ର କର, ଆଉ ତୁମ୍ଭେମାନେ ସେମାନଙ୍କ ଦୃଷ୍ଟିଗୋଚରରେ ସେହି ଶୈଳକୁ ଆପଣା ଜଳ ଦେବା ପାଇଁ ଆଜ୍ଞା ଦିଅ; ତହିଁରେ ତୁମ୍ଭେ ସେମାନଙ୍କ ନିମନ୍ତେ ଶୈଳରୁ ଜଳ ବାହାର କରି ମଣ୍ଡଳୀକୁ ଓ ସେମାନଙ୍କ ପଶୁଗଣକୁ ପାନ କରାଇବ।” 9ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ତାହାଙ୍କ ଆଜ୍ଞା ପ୍ରମାଣେ ଯଷ୍ଟି ନେଲେ।