ଇଦୋମ ଦ୍ୱାରା ଇସ୍ରାଏଲର ପଥରୋଧ

13ଏହିସବୁ ମିରୀବାଃ ଜଳ, (ବିବାଦର ଜଳ); ଯେହେତୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ। 14ଏଥିଉତ୍ତାରେ ମୋଶା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇସ୍ରାଏଲ ଏରୂପ କହଇ, “ଆମ୍ଭମାନଙ୍କ ପ୍ରତି ଯେଉଁ ସମସ୍ତ କ୍ଳେଶ ଘଟିଅଛି, 15ଅର୍ଥାତ୍‍, କିପରି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମିସରକୁ ଗଲେ ଓ ମିସରରେ ଦୀର୍ଘ କାଳ ବାସ କଲେ ଆଉ ମିସରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ। 16ସେହି ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି, ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ; 17ମୁଁ ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ; ଆମ୍ଭେମାନେ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାକ୍ଷେତ୍ର ମଧ୍ୟଦେଇ ଯିବୁ ନାହିଁ, କିଅବା କୂପ ଜଳ ପାନ କରିବୁ ନାହିଁ; ଆମ୍ଭେମାନେ ରାଜପଥ ଦେଇ ଗମନ କରିବୁ; ଆମ୍ଭେମାନେ ତୁମ୍ଭ ସୀମା ପାର ହେବା ପର୍ଯ୍ୟନ୍ତ ଦକ୍ଷିଣରେ କି ବାମରେ ଫେରିବୁ ନାହିଁ।” 18ତହିଁରେ ଇଦୋମ ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭ (ଦେଶର) ମଧ୍ୟଦେଇ ଯିବ ନାହିଁ, ଗଲେ ଆମ୍ଭେ ଖଡ୍ଗ ନେଇ ତୁମ୍ଭ ବିରୁଦ୍ଧରେ ବାହାର ହେବା।” 19ସେତେବେଳେ ଇସ୍ରାଏଲ-ସନ୍ତାନଗଣ ତାଙ୍କୁ କହିଲେ, “ଆମ୍ଭେମାନେ କେବଳ ସଡ଼କ ଦେଇ ଯିବୁ ଯଦି ଆମ୍ଭେମାନେ, ଆମ୍ଭେ କି ଆମ୍ଭ ପଶୁମାନେ ତୁମ୍ଭ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ; ଆଉ କିଛି କଥା ନାହିଁ, କେବଳ ଆମ୍ଭକୁ ଆପଣା ପାଦରେ (ଦେଶ) ଦେଇ ଯିବାକୁ ଦିଅ।” 20ତହୁଁ ସେ କହିଲେ, “ତୁମ୍ଭେ (ଦେଶ) ଦେଇ ଯିବ ନାହିଁ। ଏଉତ୍ତାରେ ଇଦୋମ ଅନେକ ଲୋକ ସଙ୍ଗରେ ନେଇ ମହାବଳରେ ତାଙ୍କ ବିରୁଦ୍ଧରେ ବାହାର ହେଲେ।” 21ଏହିରୂପେ ଇଦୋମ ଇସ୍ରାଏଲକୁ ଆପଣା ସୀମା ଦେଇ ଯିବାର ଅନୁମତି ଦେବାକୁ ଅସ୍ୱୀକାର କଲେ; ଏଣୁ ଇସ୍ରାଏଲ ତାଙ୍କ ନିକଟରୁ ଫେରିଗଲେ।