ପିତ୍ତଳ ସର୍ପ
4ଏଥିଉତ୍ତାରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ସୂଫ ସାଗର ପଥ ଦେଇ ଯାତ୍ରା କଲେ; ପୁଣି, ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା। 5ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୋଶାଙ୍କ ବିରୁଦ୍ଧରେ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିସର ଦେଶରୁ ବାହାର କରି ଆଣିଲ?” ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ; ପୁଣି, ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ। 6ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ବିଷାକ୍ତ ସର୍ପଗୁଡ଼ିକୁ ପ୍ରେରଣ କରନ୍ତେ, ସେମାନେ ଲୋକମାନଙ୍କୁ ଦଂଶନ କଲେ; ତହିଁରେ ଇସ୍ରାଏଲର ଅନେକ ଲୋକ ମଲେ। 7ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ପାପ କରିଅଛୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ।” ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। 8ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଗୋଟିଏ ବିଷାକ୍ତ ସର୍ପର ନମୁନା ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖ; ତହିଁରେ ସର୍ପଦ୍ରଂଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ।” 9ତହୁଁ ମୋଶା ପିତ୍ତଳର ଏକ ସର୍ପ ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖିଲେ; ତହିଁରେ ସର୍ପ କୌଣସି ମନୁଷ୍ୟକୁ ଦଂଶନ କଲେ, ସେ ସେହି ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରନ୍ତେ, ବଞ୍ଚିଲା।


