ପ୍ରଥମଜାତ ପରିବର୍ତ୍ତେ ଲେବୀୟ

40ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷଙ୍କୁ ଗଣନା କର ଓ ସେମାନଙ୍କ ନାମସଂଖ୍ୟା କର। 41ଆମ୍ଭେ ସଦାପ୍ରଭୁ; ଆମ୍ଭ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଗ୍ରହଣ କରିବ; ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ପଶୁ ବଦଳେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବ।” 42ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ। 43ପୁଣି, ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ-ସଂଖ୍ୟାନୁସାରେ ଯେଉଁମାନେ ଗଣିତ ହେଲେ, ସେମାନଙ୍କ ସଂଖ୍ୟା ବାଇଶ ହଜାର ଦୁଇ ଶହ ତେସ୍ତରି ହେଲା।

44ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 45“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଓ ସେମାନଙ୍କ ପଶୁ ବଦଳେ ଲେବୀୟମାନଙ୍କର ପଶୁମାନଙ୍କୁ ଗ୍ରହଣ କର; ଆଉ ଲେବୀୟମାନେ ଆମ୍ଭର ହେବେ; ଆମ୍ଭେ ସଦାପ୍ରଭୁ ଅଟୁ। 46ପୁଣି, ଇସ୍ରାଏଲ-ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କ ସଂଖ୍ୟାରୁ ଅଧିକ ଦୁଇ ଶହ ତେସ୍ତରି ଲୋକର ମୁକ୍ତି ନିମନ୍ତେ, 47ତୁମ୍ଭେ ମୁଣ୍ଡ ପିଛା ପାଞ୍ଚ ଶେକଲ ଲେଖାଏଁ ନେବ; ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭେ ତାହା ନେବ, (କୋଡ଼ିଏ ଗେରାରେ ଏକ ଶେକଲ)। 48ଆଉ ତୁମ୍ଭେ ସେହି ବଳକା ଲୋକମାନଙ୍କ ମୁକ୍ତିର ମୂଲ୍ୟ ନେଇ ହାରୋଣ ଓ ତାହାର ପୁତ୍ରମାନଙ୍କୁ ଦେବ।” 49ତହୁଁ ମୋଶା ଲେବୀୟମାନଙ୍କ ଦ୍ୱାରା ମୁକ୍ତ ଲୋକଙ୍କ ବ୍ୟତୀତ ଅବଶିଷ୍ଟ ଲୋକମାନଙ୍କ ମୁକ୍ତି-ମୂଲ୍ୟ ନେଲେ। 50ଇସ୍ରାଏଲ-ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କଠାରୁ ସେ ସେହି ମୂଲ୍ୟ ନେଲେ; ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ହଜାର ତିନି ଶହ ପଞ୍ଚଷଠି ଶେକଲ ନେଲେ; 51ପୁଣି, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେହି ମୁକ୍ତି-ମୂଲ୍ୟ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦେଲେ।