ବିଲୀୟମ୍ଙ୍କ ଗଧ ଏବଂ ଦୂତ
22ଏଥିରେ ସେ ଯିବା ସକାଶୁ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁ ରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ; ସେତେବେଳେ ସେ ଆପଣା ଗର୍ଦ୍ଦଭୀ ଉପରେ ଚଢ଼ି ଯାଉଥିଲା ଓ ତାହାର ଦୁଇ ଦାସ ତାହା ସଙ୍ଗରେ ଥିଲେ। 23ଏଥିରେ ସେହି ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହୁଁ ଗର୍ଦ୍ଦଭୀ ବାଟ ଛାଡ଼ି ବିଲ ଆଡ଼କୁ ଗଲା ତହିଁରେ ବିଲୀୟମ୍ ଗର୍ଦ୍ଦଭୀକୁ ବାଟକୁ ଫେରାଇ ଆଣିବା ପାଇଁ ପ୍ରହାର କଲା; 24ତେବେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଏପାଖେ ପ୍ରାଚୀର ଓ ସେପାଖେ ପ୍ରାଚୀର ଥିବା ଗଳିପଥରେ ଠିଆ ହେଲେ। 25ସେହି ସମୟରେ ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇ ଯିବାରୁ ବିଲୀୟମ୍ର ଗୋଡ଼ କାନ୍ଥରେ ଘଷି ହେଲା; ତହିଁରେ ସେ ପୁନର୍ବାର ତାହାକୁ ପ୍ରହାର କଲା। 26ଏଉତ୍ତାରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଡାହାଣରେ କିମ୍ବା ବାମରେ ଫେରିବାର ସ୍ଥାନ ନ ଥିଲା। 27ସେତେବେଳେ ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖି ବିଲୀୟମ୍ର ତଳେ ଶୋଇ ପଡ଼ିଲା; ତହିଁରେ ବିଲୀୟମ୍ର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ଗର୍ଦ୍ଦଭୀକୁ ଆପଣା ଯଷ୍ଟିରେ ପ୍ରହାର କଲା। 28ତହୁଁ ସଦାପ୍ରଭୁ ଗର୍ଦ୍ଦଭୀର ମୁଖ ଫିଟାଇଲେ, ତେଣୁ ସେ ବିଲୀୟମ୍କୁ କହିଲା, “ମୁଁ ତୁମ୍ଭର କଅଣ କଲି ଯେ, ତୁମ୍ଭେ ମୋତେ ଏହି ତିନି ଥର ପ୍ରହାର କଲ।” 29ତେବେ ବିଲୀୟମ୍ ଗର୍ଦ୍ଦଭୀକୁ କହିଲା, “କାରଣ ତୁ ମୋତେ ପରିହାସ କରୁଅଛୁ; ମୋʼ ହାତରେ ଖଣ୍ଡା ଥିଲେ ମୁଁ ଏବେ ତୋତେ ବଧ କରନ୍ତି।” 30ପୁଣି, ଗର୍ଦ୍ଦଭୀ ବିଲୀୟମ୍କୁ କହିଲା, “ତୁମ୍ଭେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯାହା ଉପରେ ଚଢ଼ି ଆସିଅଛ, ମୁଁ କି ତୁମ୍ଭର ସେହି ଗର୍ଦ୍ଦଭୀ ନୁହେଁ? ମୁଁ କି ପୂର୍ବେ କେବେ ତୁମ୍ଭ ପ୍ରତି ଏପରି କରିଥିଲି?” ତହୁଁ ସେ କହିଲା, “ନା।” 31ଏଥିରେ ସଦାପ୍ରଭୁ ବିଲୀୟମ୍ର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହିଁରେ ସେ ମସ୍ତକ ନୁଆଁଇ ମୁହଁ ମାଡ଼ି ପଡ଼ିଲା। 32ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଏହି ତିନି ଥର ଆପଣା ଗର୍ଦ୍ଦଭୀକୁ କାହିଁକି ପ୍ରହାର କଲ? ଦେଖ, ଆମ୍ଭେ ତୁମ୍ଭର ଶତ୍ରୁ ରୂପେ ବାହାର ହୋଇଅଛୁ, ଯେହେତୁ ଆମ୍ଭ ସାକ୍ଷାତରେ ତୁମ୍ଭର ଗତି ବିପଥଗାମୀ ହୋଇଅଛି; 33ପୁଣି, ଗର୍ଦ୍ଦଭୀ ଆମ୍ଭକୁ ଦେଖି ଏହି ତିନି ଥର ଆମ୍ଭ ସମ୍ମୁଖରୁ ଫେରିଲା; ସେ ଯଦି ଆମ୍ଭ ସମ୍ମୁଖରୁ ଫେରି ନ ଥାʼନ୍ତା, ତେବେ ନିଶ୍ଚୟ ଆମ୍ଭେ ତୁମ୍ଭକୁ ବଧ କରିଥାʼନ୍ତୁ, ଆଉ ତାହାକୁ ଜୀଅନ୍ତା ରଖିଥାʼନ୍ତୁ।” 34ତହିଁରେ ବିଲୀୟମ୍ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ମୁଁ ପାପ କରିଅଛି; କାରଣ ତୁମ୍ଭେ ଯେ ମୋʼ ବିପକ୍ଷରେ ପଥରେ ଠିଆ ହୋଇଅଛ; ତାହା ମୁଁ ଜାଣିଲି ନାହିଁ; ଏଣୁ ଏବେ, ଯଦି ତାହା ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଫେରିଯିବି।” 35ତହିଁରେ ସଦାପ୍ରଭୁଙ୍କ ଦୂତ ବିଲୀୟମ୍କୁ କହିଲେ, “ସେହି ଲୋକମାନଙ୍କ ସଙ୍ଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, କେବଳ ତାହା ତୁମ୍ଭେ କହିବ।” ତହିଁରେ ବିଲୀୟମ୍ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।
36ଏଥିଉତ୍ତାରେ ବିଲୀୟମ୍ର ଆଗମନ ସମ୍ବାଦ ଶୁଣି ବାଲାକ ତାହା ସଙ୍ଗେ ଭେଟିବା ପାଇଁ ଦେଶର ପ୍ରାନ୍ତସ୍ଥିତ ଅର୍ଣ୍ଣୋନର ସୀମାନ୍ତବର୍ତ୍ତୀ ମୋୟାବ ନଗରକୁ ଗମନ କଲେ। 37ପୁଣି, ବାଲାକ ବିଲୀୟମ୍କୁ କହିଲେ, “ଆମ୍ଭେ କି ତୁମ୍ଭକୁ ଡାକିବା ପାଇଁ ଅତି ଯତ୍ନରେ ଲୋକ ପଠାଇଲୁ ନାହିଁ? ତୁମ୍ଭେ କାହିଁକି ଆମ୍ଭ ନିକଟକୁ ଆସିଲ ନାହିଁ? ଆମ୍ଭେ କି ତୁମ୍ଭକୁ ସମ୍ଭ୍ରମ ଦେଇ ସମ୍ଭ୍ରାନ୍ତ କରିବାକୁ ନିତାନ୍ତ ଅସମର୍ଥ?” 38ତହୁଁ ବିଲୀୟମ୍ ବାଲାକଙ୍କୁ କହିଲା, “ଏହି ଦେଖ, ମୁଁ ତୁମ୍ଭ ନିକଟକୁ ଆସିଅଛି; ମାତ୍ର ଏବେ କୌଣସି କଥା କହିବାକୁ କି ମୋହର କିଛି ସାମର୍ଥ୍ୟ ଅଛି? ପରମେଶ୍ୱର ମୋʼ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି।” 39ଏଉତ୍ତାରେ ବିଲୀୟମ୍ ବାଲାକ ସହିତ ଗମନ କରି କିରୀୟଥ୍-ହୁଷୋତରେ ଉପସ୍ଥିତ ହେଲା। 40ତହୁଁ ବାଲାକ ଗୋରୁ ଓ ମେଷ ବଳିଦାନ କରି ବିଲୀୟମ୍ ଓ ତାହାର ସଙ୍ଗୀ ଅଧିପତିମାନଙ୍କ ନିକଟକୁ ପଠାଇଲେ। 41ପୁଣି, ପ୍ରଭାତରେ ବାଲାକ ବିଲୀୟମ୍କୁ ସଙ୍ଗେ ନେଇ ବାଲ୍ର ଉଚ୍ଚସ୍ଥଳୀରେ ଆରୋହଣ କରାଇଲେ; ଆଉ ସେହିଠାରୁ ସେ ଲୋକମାନଙ୍କର ଶେଷ ସୀମା ପର୍ଯ୍ୟନ୍ତ ଦେଖିଲେ।


