ବିଲୀୟମ୍‍ଙ୍କ ପ୍ରଥମ ଭବିଷ୍ୟଦ୍‍ବାଣୀ

1ଏଥିଉତ୍ତାରେ ବିଲୀୟମ୍‍ ବାଲାକଙ୍କୁ କହିଲା, “ଏହି ସ୍ଥାନରେ ମୋʼ ପାଇଁ ସାତଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋʼ ପାଇଁ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର।” 2ତହିଁରେ ବାଲାକ ବିଲୀୟମ୍‍ର କଥାନୁସାରେ କଲେ; ପୁଣି, ବାଲାକ ଓ ବିଲୀୟମ୍‍ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ। 3ତହୁଁ ବିଲୀୟମ୍‍ ବାଲାକଙ୍କୁ କହିଲା, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ, ମୁଁ ଯିବି କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ; ଆଉ ସେ ଯାହା ମୋତେ ଦେଖାଇବେ, ତାହା ମୁଁ ତୁମ୍ଭକୁ କହିବି।” ପୁଣି, ସେ ଏକ ଉଚ୍ଚସ୍ଥାନକୁ ଗଲା। 4ସେତେବେଳେ ପରମେଶ୍ୱର ବିଲୀୟମ୍‍କୁ ସାକ୍ଷାତ କଲେ; ତହିଁରେ ସେ ତାହାଙ୍କୁ କହିଲା, “ମୁଁ ସାତ ଯଜ୍ଞବେଦି ପ୍ରସ୍ତୁତ କରିଅଛି ଓ ମୁଁ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଗୋବତ୍ସ ଓ ଏକ ମେଷ ଉତ୍ସର୍ଗ କରିଅଛି।” 5ସେତେବେଳେ ସଦାପ୍ରଭୁ ବିଲୀୟମ୍‍ର ମୁଖରେ ଏକ ବାକ୍ୟ ଦେଇ ତାହାକୁ କହିଲେ, “ତୁମ୍ଭେ ବାଲାକ ନିକଟକୁ ଫେରିଯାଅ, ପୁଣି, ତାହାକୁ ଏହିପରି କୁହ।” 6ତହିଁରେ ସେ ତାଙ୍କ ନିକଟକୁ ଫେରିଗଲା, ସେହି ସମୟରେ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ସେ ଓ ମୋୟାବର ଅଧିପତି ସମସ୍ତେ (ଠିଆ ହୋଇଥିଲେ)। 7ତହୁଁ ସେ ଆପଣା ପ୍ରସଙ୍ଗ ନେଇ କହିଲା,

“ବାଲାକ ଅରାମଠାରୁ,

ମୋୟାବର ରାଜା ପୂର୍ବଦିଗସ୍ଥିତ ପର୍ବତଶ୍ରେଣୀରୁ ମୋତେ ଆଣିଅଛି;

‘ଆସ, ଆମ୍ଭ ନିମନ୍ତେ ଯାକୁବକୁ ଅଭିଶାପ ଦିଅ;’

ପୁଣି, ‘ଆସ, ଇସ୍ରାଏଲକୁ ଅଭିଶପ୍ତ କର।’

8ପରମେଶ୍ୱର ଯାହାକୁ ଅଭିଶାପ ଦେଇ ନାହାନ୍ତି, ମୁଁ କିପରି ତାହାକୁ ଅଭିଶାପ ଦେବି?

ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି, ମୁଁ କିପରି ତାହାକୁ ଅଭିଶପ୍ତ କରିବି?

9କାରଣ ଶୈଳମାଳାର ଶିଖରରୁ ମୁଁ ତାହାକୁ ଦେଖୁଅଛି

ଓ ଗିରିଶ୍ରେଣୀରୁ ମୁଁ ତାହାକୁ ଦର୍ଶନ କରୁଅଛି।

ଦେଖ, ଏହି ଲୋକମାନେ ଅଲଗା ବାସ କରନ୍ତି,

ସେମାନେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଗଣିତ ହେବେ ନାହିଁ।

10ଯାକୁବର ଧୂଳି କିଏ ଗଣିପାରେ

ଅବା ଇସ୍ରାଏଲର ଚତୁର୍ଥାଂଶର ସଂଖ୍ୟା କିଏ କହିପାରେ;

ଧାର୍ମିକର ମରଣ ମୁଁ ମରେ,

ମୋହର ଶେଷାବସ୍ଥା ତାହାର ତୁଲ୍ୟ ହେଉ।”

11ଏଥିରେ ବାଲାକ ବିଲୀୟମ୍‍କୁ କହିଲେ, “ତୁମ୍ଭେ ଆମ୍ଭ ପ୍ରତି ଏ କି କଲ? ଆମ୍ଭର ଶତ୍ରୁମାନଙ୍କୁ ଅଭିଶାପ ଦେବା ପାଇଁ ଆମ୍ଭେ ତୁମ୍ଭକୁ ନେଇଗଲୁ, ଆଉ ଦେଖ, ତୁମ୍ଭେ ସେମାନଙ୍କୁ ସର୍ବୋତୋଭାବେ ଆଶୀର୍ବାଦ କଲ।” 12ତହିଁରେ ସେ ଉତ୍ତର ଦେଇ କହିଲା, “ସଦାପ୍ରଭୁ ମୋʼ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋହର ଉଚିତ ନୁହେଁ?”