ବିଲୀୟମ୍ଙ୍କ ଦ୍ୱିତୀୟ ଭବିଷ୍ୟଦ୍ବାଣୀ
13ଏଉତ୍ତାରେ ବାଲାକ କହିଲେ, “ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ, ଏପରି ଅନ୍ୟ ଏକ ସ୍ଥାନକୁ ଆମ୍ଭ ସଙ୍ଗେ ଆସ; ତୁମ୍ଭେ କେବଳ ସେମାନଙ୍କର ଶେଷସୀମାସ୍ଥିତ ଲୋକମାନଙ୍କୁ ଦେଖିବ, ମାତ୍ର ସମସ୍ତଙ୍କୁ ଦେଖି ପାରିବ ନାହିଁ; ସେହିଠାରୁ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।” 14ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି, ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ। 15ତହୁଁ ସେ ବାଲାକଙ୍କୁ କହିଲା, “ମୁଁ ଯେପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବି, ସେପର୍ଯ୍ୟନ୍ତ ତୁମ୍ଭେ ଏହି ସ୍ଥାନରେ ଆପଣା ହୋମବଳି ନିକଟରେ ଠିଆ ହୋଇଥାଅ।” 16ଏଥିରେ ସଦାପ୍ରଭୁ ବିଲୀୟମ୍ ସହିତ ସାକ୍ଷାତ କଲେ, ପୁଣି, ତାହାର ମୁଖରେ ଗୋଟିଏ, ବାକ୍ୟ ଦେଇ ତାହାକୁ କହିଲେ, “ତୁମ୍ଭେ ବାଲାକ ନିକଟକୁ ଫେରିଯାଇ ତାହାକୁ ଏହି କଥା କହିବ।” 17ତହୁଁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ। ତେବେ ବାଲାକ ତାକୁ ପଚାରିଲେ, “ସଦାପ୍ରଭୁ କଅଣ କହିଅଛନ୍ତି?” 18ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା,
“ହେ ବାଲାକ, ଉଠ, ଶ୍ରବଣ କର;
ହେ ସିପ୍ପୋରର ପୁତ୍ର, ମୋʼ କଥାରେ କର୍ଣ୍ଣପାତ କର।
19ପରମେଶ୍ୱର ମନୁଷ୍ୟ ନୁହନ୍ତି ଯେ, ସେ ମିଥ୍ୟା କହିବେ;
କିଅବା ସେ ମନୁଷ୍ୟର ସନ୍ତାନ ନୁହନ୍ତି ଯେ, ସେ ଅନୁତାପ କରିବେ;
ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ?
ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ?
20ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି;
ପୁଣି, ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନ ପାରେ।
21ସେ ଯାକୁବ ମଧ୍ୟରେ ଅଧର୍ମ ଦୃଷ୍ଟିଗୋଚର କରି ନାହାନ୍ତି,
କିଅବା ସେ ଇସ୍ରାଏଲ ମଧ୍ୟରେ ଉପଦ୍ରବ ଦେଖି ନାହାନ୍ତି;
ସେମାନଙ୍କର ପରମେଶ୍ୱର ସଦାପ୍ରଭୁ ସେମାନଙ୍କ ସଙ୍ଗରେ ଅଛନ୍ତି,
ପୁଣି, ରାଜାର ଜୟଧ୍ୱନି ସେମାନଙ୍କ ମଧ୍ୟରେ ଅଛି।
22ପରମେଶ୍ୱର ସେମାନଙ୍କୁ ମିସରରୁ ବାହାର କରି ଆଣୁଅଛନ୍ତି;
ଅରଣା ଷଣ୍ଢ ତୁଲ୍ୟ ସେମାନଙ୍କର ବଳ।
23ନିତାନ୍ତ ଯାକୁବ ପାଇଁ କୌଣସି ଗଣକତା ନାହିଁ,
କିଅବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ;
ଏହିକ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ,
‘ପରମେଶ୍ୱର କି କର୍ମ କରିଅଛନ୍ତି!’
24ଦେଖ, ସେହି ଲୋକସମୂହ ସିଂହୀ ପରି ଉଠୁଅଛନ୍ତି;
ପୁଣି, ସେ ସିଂହ ପରି ଆପଣାକୁ ଉଠାଉଅଛି; ଯେପର୍ଯ୍ୟନ୍ତ ସେ ଶିକାର ଭୋଜନ ନ କରେ
ଓ ହତ ଲୋକମାନଙ୍କର ରକ୍ତ ପାନ ନ କରେ, ସେପର୍ଯ୍ୟନ୍ତ ଶୟନ କରିବ ନାହିଁ।”
25ଏଥିଉତ୍ତାରେ ବାଲାକ ବିଲୀୟମ୍କୁ କହିଲେ, “ତୁମ୍ଭେ ସେମାନଙ୍କୁ କିଛି ଅଭିଶାପ ଦିଅ ନାହିଁ, କିଅବା ସେମାନଙ୍କୁ କିଛି ଆଶୀର୍ବାଦ କର ନାହିଁ।” 26ତହିଁରେ ବିଲୀୟମ୍ ଉତ୍ତର ଦେଇ ବାଲାକଙ୍କୁ କହିଲା, “ସଦାପ୍ରଭୁ ମୋତେ ଯାହା କିଛି କହିବେ, ତାହା ହିଁ ମୁଁ କରିବି; ଏହା କି ମୁଁ ତୁମ୍ଭକୁ କହି ନାହିଁ?”
27ତହୁଁ ବାଲାକ ବିଲୀୟମ୍କୁ କହିଲେ, “ବିନୟ କରୁଅଛୁ, ଆସ, ଆମ୍ଭେ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇଯିବା; ହୋଇପାରେ, ସେହି ସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦେବାର ପରମେଶ୍ୱରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ।” 28ଏଣୁ ବାଲାକ ବିଲୀୟମ୍କୁ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ। 29ତହିଁରେ ବିଲୀୟମ୍ ବାଲାକଙ୍କୁ କହିଲା, “ଏହି ସ୍ଥାନରେ ମୋʼ ପାଇଁ ସାତଗୋଟି ବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋʼ ନିମନ୍ତେ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର।” 30ତହୁଁ ବାଲାକ ବିଲୀୟମ୍ର କଥାନୁସାରେ କଲେ ଓ ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।


