ବିଲୀୟମ୍‍ଙ୍କ ତୃତୀୟ ଭବିଷ୍ୟଦ୍‍ବାଣୀ

1ଏଥିଉତ୍ତାରେ ଇସ୍ରାଏଲକୁ ଆଶୀର୍ବାଦ କରିବା ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ, ଏହା ଦେଖି ବିଲୀୟମ୍‍ ପୂର୍ବ ପରି ଗଣକତା ସାଧିବା ପାଇଁ ଗଲା ନାହିଁ, ମାତ୍ର ପ୍ରାନ୍ତର ଆଡ଼େ ଆପଣା ମୁଖ ରଖିଲା। 2ତହିଁରେ ବିଲୀୟମ୍‍ ଅନାଇ ଇସ୍ରାଏଲକୁ ଆପଣା ବଂଶାନୁସାରେ ବାସ କରିବାର ଦେଖିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ତାହା ଉପରେ ଅଧିଷ୍ଠାନ କଲେ। 3ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା,

“ବିୟୋରର ପୁତ୍ର ବିଲୀୟମ୍‍ କହୁଅଛି

ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି,

4ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି,

ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି।

5ହେ ଯାକୁବ, ତୁମ୍ଭର ତମ୍ବୁସବୁ,

ହେ ଇସ୍ରାଏଲ, ତୁମ୍ଭର ଆବାସ ସବୁ କିପରି ମନୋହର!

6ତାହାସବୁ ଉପତ୍ୟକା ତୁଲ୍ୟ ବିସ୍ତାରିତ,

ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ,

ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ,

ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟେ।

7ତାହାର କଳସରୁ ଜଳ ଉଚ୍ଛୁଳିବ,

ତାହାର ବୀଜ ଅନେକ ଜଳରେ ପଡ଼ିବ,

ପୁଣି, ତାହାର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବେ

ଓ ତାହାର ରାଜ୍ୟ ଉନ୍ନତ ହେବ।

8ପରମେଶ୍ୱର ତାହାକୁ ମିସରରୁ ବାହାର କରି ଆଣୁଅଛନ୍ତି;

ତାହାର ବଳ ଅରଣାର ଷଣ୍ଢ ତୁଲ୍ୟ;

ସେ ଆପଣା ବିପକ୍ଷ ଦେଶୀୟମାନଙ୍କୁ ଗ୍ରାସ କରିବ

ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କରିବ

ଓ ଆପଣା ବାଣ ଦ୍ୱାରା ସେମାନଙ୍କୁ ଭେଦ କରିବ।

9ସେ ନଇଁ ପଡ଼ିଲା, ସେ ସିଂହ ତୁଲ୍ୟ

ଓ ସିଂହୀ ତୁଲ୍ୟ ଶୟନ କଲା; କିଏ ତାହାକୁ ଉଠାଇବ?

ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେମାନେ ପ୍ରତ୍ୟେକେ ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ,

ଯେଉଁମାନେ ତୁମ୍ଭକୁ ଅଭିଶାପ ଦିଅନ୍ତି, ସେମାନେ ପ୍ରତ୍ୟେକେ ଅଭିଶପ୍ତ ହେଉନ୍ତୁ।”

10ଏଥିରେ ବିଲୀୟମ୍‍ ବିରୁଦ୍ଧରେ ବାଲାକଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ତହୁଁ ସେ ଆପଣା ହାତରେ ହାତ ମାରିଲେ; ପୁଣି, ବାଲାକ ବିଲୀୟମ୍‍କୁ କହିଲେ, “ଆମ୍ଭେ ଆପଣା ଶତ୍ରୁମାନଙ୍କୁ ଅଭିଶାପ ଦେବା ପାଇଁ ତୁମ୍ଭକୁ ଡାକିଲୁ, ମାତ୍ର ଦେଖ, ତୁମ୍ଭେ ଏହି ତିନି ଥର ସେମାନଙ୍କୁ ସର୍ବୋତଭାବେ ଆଶୀର୍ବାଦ କଲ। 11ଏନିମନ୍ତେ ତୁମ୍ଭେ ଏବେ ଆପଣା ସ୍ଥାନକୁ ପଳାଅ; ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଚାର ଥିଲା; ମାତ୍ର ଦେଖ, ସଦାପ୍ରଭୁ ତୁମ୍ଭକୁ ସମ୍ଭ୍ରମ ପାଇବାରୁ ବାରଣ କରିଅଛନ୍ତି।” 12ତହିଁରେ ବିଲୀୟମ୍‍ ବାଲାକଙ୍କୁ କହିଲା, “ମୋʼ ନିକଟକୁ ତୁମ୍ଭେ ଯେଉଁ ଦୂତମାନଙ୍କୁ ପଠାଇଥିଲ, ସେମାନଙ୍କୁ ମୁଁ କʼଣ କହି ନାହିଁ? 13‘ଯଦିଓ ବାଲାକ ସୁନା ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦେବ, ତେବେ ମୁଁ ଆପଣା ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ନ ପାରେ; ଯାହା ସଦାପ୍ରଭୁ କହନ୍ତି, ତାହା ହିଁ ମୁଁ କହିବି।’