ପୀନହସ୍ଙ୍କ ଅନ୍ତର୍ଜ୍ୱାଳା
10ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 11“ହାରୋଣ ଯାଜକର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍ ଲୋକମାନଙ୍କ ପ୍ରତି ଆମ୍ଭ ଅନ୍ତର୍ଜ୍ୱାଳାରେ ଅନ୍ତର୍ଜ୍ୱାଳା ପ୍ରକାଶ କରି ଇସ୍ରାଏଲ-ସନ୍ତାନଗଣଠାରୁ ଆମ୍ଭର କ୍ରୋଧ ଫେରାଇଅଛି, ତହିଁରେ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳାରେ ଇସ୍ରାଏଲ-ସନ୍ତାନଗଣଙ୍କୁ ନିଃଶେଷ ରୂପେ ସଂହାର କଲୁ ନାହିଁ।” 12ଏହେତୁ ତୁମ୍ଭେ କୁହ, “ଦେଖ, ଆମ୍ଭେ ତାହାକୁ ଆପଣା ଶାନ୍ତିକର ନିୟମ ଦେଲୁ;
13ତହିଁରେ ତାହା ପ୍ରତି ଓ ତାହା ଉତ୍ତାରେ ତାହାର ସନ୍ତାନଗଣଙ୍କ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ହେବ; କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ ଅନ୍ତର୍ଜ୍ୱାଳା ପ୍ରକାଶ କଲା ଓ ଇସ୍ରାଏଲ-ସନ୍ତାନଗଣଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲା।” 14ଇସ୍ରାଏଲୀୟ ଯେଉଁ ହତ ପୁରୁଷ, ଯେ ସେହି ମିଦୀୟନୀୟା ସ୍ତ୍ରୀ ସହିତ ହତ ହୋଇଥିଲା, ତାହାର ନାମ ସିମ୍ରି, ସେ ଶିମୀୟୋନୀୟ ପିତୃଗୃହର ଅଧିପତି ସାଲୂର ପୁତ୍ର। 15ପୁଣି, ସେହି ହତ ମିଦୀୟନୀୟା ସ୍ତ୍ରୀର ନାମ କସ୍ୱୀ, ସେ ସୂରର କନ୍ୟା; ସେହି ସୂର୍ ମିଦୀୟନୀୟ ଏକ ପିତୃଗୃହର ଲୋକମାନଙ୍କ ମଧ୍ୟରେ ପ୍ରଧାନ ଥିଲା।
16ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 17“ମିଦୀୟନୀୟ ଲୋକମାନଙ୍କୁ କ୍ଳେଶ ଦିଅ ଓ ସେମାନଙ୍କୁ ବଧ କର; 18କାରଣ ପିୟୋର (ଦେବତା) ବିଷୟକ ଛଳରେ ଓ ସେହି ପିୟୋର ଲାଗି ମାରୀ ଦିନରେ ହତ ହେଲା ଯେ ସେମାନଙ୍କ ଆତ୍ମୀୟା କସ୍ୱୀ ନାମ୍ନୀ ମିଦୀୟନୀୟ ରାଜକୁମାରୀ, ତାହାରି ବିଷୟକ ଛଳରେ ସେମାନେ ତୁମ୍ଭମାନଙ୍କୁ ଛଳ କରି କ୍ଳେଶ ଦେଲେ।”


