କହାତ ବଂଶୀୟ ଲେବୀୟମାନଙ୍କ ଦାୟିତ୍ୱ

1ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2“ତୁମ୍ଭେମାନେ ଲେବୀର ସନ୍ତାନଗଣ ମଧ୍ୟରୁ କହାତ-ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ, 3ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବାକୁ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କର। 4ସମାଗମ-ତମ୍ବୁରେ ମହାପବିତ୍ର ଦ୍ରବ୍ୟାଦିର (ରକ୍ଷା) କହାତ-ସନ୍ତାନଗଣର ସେବା ଅଟେ। 5ଛାଉଣି ଅଗ୍ରସର ହେବା ସମୟରେ ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ନେଇ ସାକ୍ଷ୍ୟ-ସିନ୍ଦୁକ ଢାଙ୍କିବେ 6ଓ ତହିଁ ଉପରେ ଶିଶୁକ ଚର୍ମର ଆଚ୍ଛାଦନ ଦେବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତହିଁ ଉତ୍ତାରେ ତହିଁର ସାଙ୍ଗୀ ଲଗାଇବେ। 7ଏଥିଉତ୍ତାରେ ସେମାନେ ଦର୍ଶନୀୟ ରୁଟିର ମେଜ ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇବେ, ତହିଁ ଉପରେ ଥାଳୀ, ଚାମଚ, ଗଡ଼ୁ ଓ ଢାଳିବା ପାତ୍ରସକଳ ରଖିବେ ଓ ତହିଁ ଉପରେ ନିତ୍ୟ ରୁଟି ରହିବ। 8ସେହି ସମସ୍ତର ଉପରେ ସେମାନେ ଏକ ସିନ୍ଦୂର ବର୍ଣ୍ଣ ବସ୍ତ୍ର ବିଛାଇବେ ଓ ଶିଶୁକ ଚର୍ମର ଆଚ୍ଛାଦନ ଦେଇ ତାହା ଢାଙ୍କିବେ, ତହୁଁ ତହିଁର ସାଙ୍ଗୀ ଲଗାଇବେ। 9ଏଉତ୍ତାରେ ସେମାନେ ଏକ ନୀଳବର୍ଣ୍ଣ ବସ୍ତ୍ର ନେଇ ଆଲୁଅର ଦୀପବୃକ୍ଷ, ତହିଁର ପ୍ରଦୀପ, ଚିମୁଟା, ଅଙ୍ଗାରଧାନୀ ଓ ତହିଁର ସେବାର୍ଥକ ସମସ୍ତ ତୈଳପାତ୍ର ଆଚ୍ଛାଦନ କରିବେ। 10ପୁଣି, ସେମାନେ ତାହା ଓ ତହିଁର ସମସ୍ତ ପାତ୍ର ଶିଶୁକ ଚର୍ମର ଏକ ଆଚ୍ଛାଦନରେ ରଖି ଦୋଳା ଉପରେ ଥୋଇବେ। 11ପୁଣି, ସେମାନେ ସ୍ୱର୍ଣ୍ଣମୟ ବେଦି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକ ଚର୍ମରେ ଢ଼ାଙ୍କିବେ ଓ ତହିଁରେ ସାଙ୍ଗୀ ଲଗାଇବେ। 12ଆଉ ସେମାନେ ପବିତ୍ର ସ୍ଥାନର ସେବାର୍ଥକ ସମସ୍ତ ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ରଖିବେ ଓ ଶିଶୁକ ଚର୍ମର ଏକ ଆଚ୍ଛାଦନରେ ତାହା ଢାଙ୍କି ଦୋଳା ଉପରେ ରଖିବେ। 13ପୁଣି, ସେମାନେ ବେଦିରୁ ଭସ୍ମ କାଢ଼ିନେଇ ତହିଁ ଉପରେ ବାଇଗଣିଆ ବର୍ଣ୍ଣ ବସ୍ତ୍ର ବିଛାଇବେ। 14ଆଉ ତହିଁ ଉପରେ ସେମାନେ ଅଙ୍ଗାରଧାନୀ, ତ୍ରିଶୂଳ, କରଚୁଲି ଓ କୁଣ୍ଡ ପ୍ରଭୃତି ବେଦିର ସେବାର୍ଥକ ସମସ୍ତ ପାତ୍ର ରଖିବେ; ତହୁଁ ସେମାନେ ତହିଁ ଉପରେ ଶିଶୁକ ଚର୍ମର ଆଚ୍ଛାଦନ ଦେଇ ସାଙ୍ଗୀ ଲଗାଇବେ। 15ଏହିରୂପେ ଛାଉଣି ଅଗ୍ରସର ହେବା ସମୟରେ ହାରୋଣ, ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସ୍ଥାନର ସମସ୍ତ ଦ୍ରବ୍ୟ ଢାଙ୍କିବାର ଶେଷ କଲା ଉତ୍ତାରେ କହାତ-ସନ୍ତାନଗଣ ତାହା ବହିବା ପାଇଁ ଆସିବେ; ମାତ୍ର ସେମାନଙ୍କର ମୃତ୍ୟୁୁ ଯେପରି ନ ହୁଏ, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ସ୍ପର୍ଶ କରିବେ ନାହିଁ। ଏହା ହିଁ ସମାଗମ-ତମ୍ବୁରେ କହାତ-ସନ୍ତାନଗଣର ଭାର ହେବ।

16ଆଉ ସମସ୍ତ ଆବାସର ଓ ତନ୍ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟର, ପବିତ୍ର ସ୍ଥାନର ଓ ତହିଁରେ ସ୍ଥିତ ସମସ୍ତ ଦ୍ରବ୍ୟର ତତ୍ତ୍ୱାବଧାନ, ଅର୍ଥାତ୍‍, ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହିସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକର ହେବ।”

17ଏଥିଉତ୍ତାରେ ସଦାପ୍ରଭୁ ମୋଶା ହାରୋଣଙ୍କୁ କହିଲେ, 18“ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକୁ ଉଚ୍ଛିନ୍ନ କର ନାହିଁ! 19ମାତ୍ର ସେମାନେ ମହାପବିତ୍ର ସ୍ଥାନର ନିକଟବର୍ତ୍ତୀ ହେଲା ସମୟରେ ଯେପରି ନ ମରି ବଞ୍ଚନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ। 20ମାତ୍ର ସେମାନେ ଯେପରି ନ ମରନ୍ତି, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ଦେଖିବା ନିମନ୍ତେ ଏକ ନିମିଷ ପର୍ଯ୍ୟନ୍ତ ଭିତରକୁ ଯିବେ ନାହିଁ।”