ସଲଫାଦର କନ୍ୟାଗଣ
1ଏଥିଉତ୍ତାରେ ଯୋଷେଫଙ୍କ ପୁତ୍ର ମନଃଶି ବଂଶୀୟମାନଙ୍କ ମଧ୍ୟରୁ ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ଯେ ସଲଫାଦ; ତାହାର କନ୍ୟାଗଣ ନିକଟକୁ ଆସିଲେ; ତାହାର କନ୍ୟାମାନଙ୍କ ନାମ ଏହି, ମହଲା, ନୋୟା, ହଗ୍ଲା, ମିଲ୍କା ଓ ତିର୍ସା। 2ଏମାନେ ମୋଶାଙ୍କ ସମ୍ମୁଖରେ ଓ ଇଲୀୟାସର ଯାଜକ ସମ୍ମୁଖରେ, ପୁଣି, ଅଧିପତିଗଣ ଓ ସମସ୍ତ ମଣ୍ଡଳୀର ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାରରେ ଠିଆ ହୋଇ କହିଲେ, 3“ଆମ୍ଭମାନଙ୍କ ପିତା ପ୍ରାନ୍ତରରେ ମଲେ, ପୁଣି, ଯେଉଁ କୋରହର ଦଳ ସଦାପ୍ରଭୁଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ଏକତ୍ର କରିଥିଲେ, ସେହି ଦଳ ମଧ୍ୟରେ ସେ ନ ଥିଲେ; ମାତ୍ର ସେ ଆପଣା ପାପରେ ମଲେ; ଆଉ ତାଙ୍କର ପୁତ୍ର ନ ଥିଲା। 4ଆମ୍ଭମାନଙ୍କ ପିତାଙ୍କର ପୁତ୍ର ନ ଥିବା ସକାଶୁ କାହିଁକି ତାଙ୍କର ନାମ ତାଙ୍କ ବଂଶରୁ ଲୋପ ପାଇବ? ଆମ୍ଭମାନଙ୍କ ପିତୃବଂଶୀୟ ଭାଇମାନଙ୍କ ମଧ୍ୟରେ ଆମ୍ଭମାନଙ୍କୁ ଅଧିକାର ଦିଅ।” 5ଏଥିରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କର ବିଚାର ଉପସ୍ଥିତ କରାଇଲେ। 6ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, 7“ସଲଫାଦର କନ୍ୟାଗଣ ଯଥାର୍ଥ କହୁଅଛନ୍ତି; ତୁମ୍ଭେ ସେମାନଙ୍କ ପିତୃବଂଶୀୟ ଭ୍ରାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ ଅଧିକାର ଦେବ; ପୁଣି, ତୁମ୍ଭେ ସେମାନଙ୍କୁ ସେମାନଙ୍କ ପୈତୃକ ଅଧିକାର ସମର୍ପଣ କରିବ। 8ଆଉ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ‘କୌଣସି ମନୁଷ୍ୟ ମଲେ ଯଦି ତାହାର ପୁତ୍ର ନ ଥାଏ, ତେବେ ତୁମ୍ଭେମାନେ ତାହାର ଅଧିକାର ତାହାର କନ୍ୟାକୁ ସମର୍ପଣ କରିବ। 9ଯଦି ତାହାର କନ୍ୟା ନ ଥାଏ, ଯଦି ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ। 10ପୁଣି, ଯଦି ତାହାର ଭାଇ ନ ଥାଏ, ଯଦି ତାହାର ପିତୃବ୍ୟମାନଙ୍କୁ ତାହାର ଅଧିକାର ଦେବ। 11ଆଉ ଯଦି ତାହାର ପିତୃବ୍ୟ ନ ଥାଏ, ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକୁ ତାହା ଅଧିକାର ଦେବ ଓ ସେ ତାହା ଅଧିକାର କରିବ; ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା ଇସ୍ରାଏଲ-ସନ୍ତାନଗଣଙ୍କର ବିଚାର-ବିଧି ହେବ।’”


