ମୋଶାଙ୍କର ଉତ୍ତରାଧିକାରୀ ଯିହୋଶୂୟ
12ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ଅବାରୀମ୍ ପର୍ବତ ଆରୋହଣ କର, ପୁଣି, ଆମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଯେଉଁ ଦେଶ ଦେଇଅଛୁ, ତାହା ନିରୀକ୍ଷଣ କର। 13ତାହା ନିରୀକ୍ଷଣ କଲା ଉତ୍ତାରେ ତୁମ୍ଭ ଭ୍ରାତା ହାରୋଣ ତୁଲ୍ୟ ତୁମ୍ଭେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେବ। 14ଯେହେତୁ ତୁମ୍ଭେମାନେ ସୀନ୍ ପ୍ରାନ୍ତରରେ ମଣ୍ଡଳୀର ବିବାଦରେ ଲୋକମାନଙ୍କ ଦୃଷ୍ଟିଗୋଚରରେ ଜଳ ନିକଟରେ ଆମ୍ଭକୁ ପବିତ୍ର ରୂପେ ମାନ୍ୟ କରିବା ବିଷୟକ ଆମ୍ଭ ଆଜ୍ଞାର ବିରୁଦ୍ଧାଚରଣ କଲ।” (ସେହି ଜଳ ସୀନ୍ ପ୍ରାନ୍ତରର କାଦେଶସ୍ଥ ମିରୀବାଃ ଜଳ।) 15ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, 16“ସଦାପ୍ରଭୁ ସର୍ବଶରୀରସ୍ଥ ଆତ୍ମାଗଣର ପରମେଶ୍ୱର ମଣ୍ଡଳୀ ଉପରେ ଏକ ଜଣ ନିଯୁକ୍ତ କରନ୍ତୁ, 17ଯେ ସେମାନଙ୍କ ଅଗ୍ରଗାମୀ ହୋଇ ବାହାରକୁ ଯାଇ ପାରିବ ଓ ସେମାନଙ୍କ ଅଗ୍ରଗାମୀ ହୋଇ ଭିତରକୁ ଆସିପାରିବ, ପୁଣି, ଯେ ସେମାନଙ୍କର ପଥପ୍ରଦର୍ଶକ ହୋଇ ସେମାନଙ୍କୁ ବାହାରକୁ ନେଇ ପାରିବ ଓ ଭିତରକୁ ଆଣି ପାରିବ; ତାହା କଲେ ସଦାପ୍ରଭୁଙ୍କର ମଣ୍ଡଳୀ ପାଳକବିହୀନ ମେଷପଲ ତୁଲ୍ୟ ହେବ ନାହିଁ।” 18ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ନୂନର ପୁତ୍ର ଯିହୋଶୂୟକୁ ନିଅ, ସେହି ଲୋକଠାରେ ଆତ୍ମା ଅଛନ୍ତି, ପୁଣି, ତୁମ୍ଭେ ତାହା ଉପରେ ହସ୍ତାର୍ପଣ କର; 19ଆଉ ଇଲୀୟାସର ଯାଜକ ସମ୍ମୁଖରେ ଓ ସମସ୍ତ ମଣ୍ଡଳୀ ସମ୍ମୁଖରେ ତାହାକୁ ଉପସ୍ଥିତ କରାଇ ସେମାନଙ୍କ ସାକ୍ଷାତରେ ଆଜ୍ଞା ଦିଅ। 20ଆହୁରି ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ଯେପରି ତାହାର ଆଜ୍ଞାବହ ହେବେ, ଏଥିପାଇଁ ତୁମ୍ଭେ ଆପଣା ସମ୍ଭ୍ରମ ତାହା ଉପରେ ଅର୍ପଣ କର। 21ପୁଣି, ସେ ଇଲୀୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲୀୟାସର ତାହା ପାଇଁ ଊରୀମ୍ର ବିଚାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ; ସେମାନେ, ଅର୍ଥାତ୍, ସେ ଓ ତାହା ସହିତ ଇସ୍ରାଏଲ-ସନ୍ତାନଗଣର ସମୁଦାୟ ମଣ୍ଡଳୀ, ଉଭୟ ତାହାର ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ।” 22ଏଥିରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ଯିହୋଶୂୟଙ୍କୁ ଇଲୀୟାସର ଯାଜକ ସମ୍ମୁଖରେ ଓ ସମୁଦାୟ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ କରାଇଲେ। 23ପୁଣି, ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି, ସଦାପ୍ରଭୁ ମୋଶାଙ୍କ ହାତରେ ଯେରୂପ କହିଥିଲେ, ସେରୂପ ସେ ତାଙ୍କୁ ଆଜ୍ଞା ଦେଲେ।


