ଦୈନିକ ନୈବେଦ୍ୟ
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ‘ତୁମ୍ଭେମାନେ ଆମ୍ଭର ତୁଷ୍ଟିଜନକ ଆଘ୍ରାଣାର୍ଥେ ଆମ୍ଭର ଉପହାର, ଅର୍ଥାତ୍, ଆମ୍ଭ ଉଦ୍ଦେଶ୍ୟରେ ଅଗ୍ନିକୃତ ନାନା ନୈବେଦ୍ୟାର୍ଥକ ଆମ୍ଭର ଯେଉଁ ଭକ୍ଷ୍ୟ, ତାହା ତହିଁର ନିରୂପିତ ସମୟରେ ଉତ୍ସର୍ଗ କରିବାକୁ ମନୋଯୋଗ କରିବ।’ 3ପୁଣି, ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ତାହା ଏହି; ପ୍ରତିଦିନ ନିତ୍ୟ ହୋମ ନିମନ୍ତେ ଏକ ବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ। 4ପ୍ରାତଃକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ ଓ ସନ୍ଧ୍ୟାକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ। 5ପୁଣି, ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେଷା ତୈଳ ମିଶ୍ରିତ ଏକ ଐଫାର ଦଶମାଂଶ ସରୁ ମଇଦା ଦେବ। 6ଏହା ନିତ୍ୟ ହୋମବଳି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସୀନୟ ପର୍ବତରେ ନିରୂପିତ ହୋଇଥିଲା। 7ପୁଣି, ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟ-ନୈବେଦ୍ୟ ହେବ। ତୁମ୍ଭେ ପବିତ୍ର ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ରୂପେ ମଦ୍ୟ ଢାଳିବ।


