ନିସ୍ତାର ପର୍ବର ନୈବେଦ୍ୟ

16ଆହୁରି ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ହେବ। 17ପୁଣି, ସେହି ମାସର ପଞ୍ଚଦଶ ଦିନରେ ଉତ୍ସବ ହେବ; ସାତ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ। 18ପ୍ରଥମ ଦିନରେ ପବିତ୍ର ସଭା ହେବ; ସେହି ଦିନରେ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। 19ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ଏହିସବୁ ନିଖୁନ୍ତ ପଶୁ; 20ପୁଣି, ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ, 21ଆଉ ସାତ ମେଷବତ୍ସ ମଧ୍ୟରେ ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ, 22ପୁଣି, ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ, 23ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମର ପ୍ରାତଃକାଳୀନ ହୋମ ବ୍ୟତୀତ ଉତ୍ସର୍ଗ କରିବ। 24ତୁମ୍ଭେମାନେ ଏହି ବିଧି ଅନୁସାରେ ସାତ ଦିନ ପର୍ଯ୍ୟନ୍ତ ପ୍ରତିଦିନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଭକ୍ଷ୍ୟରୂପ ଉପହାର ଉତ୍ସର୍ଗ କରିବ; ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ତାହା ଉତ୍ସର୍ଗିତ ହେବ। 25ପୁଣି, ସପ୍ତମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।