ତୂରୀଧ୍ୱନି ପର୍ବର ନୈବେଦ୍ୟ

1“ଆଉ ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ସେହି ଦିନ ତୁମ୍ଭମାନଙ୍କ ପ୍ରତି ତୂରୀଧ୍ୱନିର ଦିନ। 2ପୁଣି, ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ନିଖୁନ୍ତ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ; 3ଆଉ ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ 4ଓ ସାତ ମେଷବତ୍ସର ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଉତ୍ସର୍ଗ କରିବ; 5ପୁଣି, ଆପଣାମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରିବ। 6ଏହି ସମସ୍ତ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିଁର ଅଗ୍ନିକୃତ ଉପହାରର ତୁଷ୍ଟିଜନକ ଆଘ୍ରାଣାର୍ଥେ ଭକ୍ଷ୍ୟ ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ପୁଣି, ବିଧିମତେ ଉଭୟର ପେୟ-ନୈବେଦ୍ୟ, ବ୍ୟତୀତ ଉତ୍ସର୍ଗ କରିବ।