ଗେର୍ଶୋନ‍ ବଂଶୀୟ ଲେବୀୟମାନଙ୍କ ଦାୟିତ୍ୱ

21ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 22“ତୁମ୍ଭେ ଗେର୍ଶୋନ-ସନ୍ତାନଗଣର ପିତୃଗୃହ ଓ ବଂଶାନୁସାରେ ସେମାନଙ୍କର ସଂଖ୍ୟା ନିଅ; 23ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କର। 24ସେବା କରିବା ଓ ଭାର ବହିବା କାର୍ଯ୍ୟ ମଧ୍ୟରେ ଗେର୍ଶୋନୀୟ ବଂଶର ସେବା ଏହି; 25ସେମାନେ ଆବାସର ଯବନିକାସକଳ ଓ ସମାଗମ-ତମ୍ବୁ, ତହିଁର ଆଚ୍ଛାଦନ ଓ ତହିଁର ଉପରିସ୍ଥିତ ଶିଶୁକର ଚର୍ମର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର; 26ଆଉ ପ୍ରାଙ୍ଗଣର ପରଦାସକଳ, ଆବାସର ଓ ବେଦିର ଚତୁର୍ଦ୍ଦିଗସ୍ଥିତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜ୍ଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହିବେ ଓ ସେହି ସବୁରେ ଯେଉଁ ଯେଉଁ କାର୍ଯ୍ୟ କରିବାକୁ ହୁଏ, ତାହାସବୁ କରିବେ। 27ହାରୋଣ ଓ ତାଙ୍କର ପୁତ୍ରଗଣର ଆଜ୍ଞାନୁସାରେ ଗେର୍ଶୋନର ସନ୍ତାନଗଣ ଆପଣା ଆପଣା ଭାର ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବେ ଆଉ ତୁମ୍ଭେମାନେ ରକ୍ଷଣୀୟ ବୋଲି ସେମାନଙ୍କ ସମସ୍ତ ଭାରରେ ସେମାନଙ୍କୁ ନିଯୁକ୍ତ କରିବ। 28ସମାଗମ-ତମ୍ବୁରେ ଗେର୍ଶୋନୀୟ ସନ୍ତାନମାନଙ୍କ ବଂଶର ଏହି ସେବା; ପୁଣି, ସେମାନଙ୍କ ରକ୍ଷଣୀୟ ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ।