ଦେଶର ସୀମା
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ‘ଯେଉଁ କିଣାନ ଦେଶ, ତହିଁର ଚତୁଃସୀମାନୁସାରେ ତୁମ୍ଭମାନଙ୍କ ଅଧିକାରରେ ପଡ଼ିବ, ତୁମ୍ଭେମାନେ ସେହି କିଣାନ ଦେଶରେ ଉପସ୍ଥିତ ହେଲେ, 3ତୁମ୍ଭମାନଙ୍କ ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ। 4ପୁଣି, ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରବ୍ବୀମ ଘାଟ ଦେଇ ସୀନ୍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ-ବର୍ଣ୍ଣେୟର ଦକ୍ଷିଣ ଦେଇ ହତ୍ସର-ଅଦରକୁ ଆସି ଅସ୍ମୋନ ପର୍ଯ୍ୟନ୍ତ ଯିବ। 5ଏଉତ୍ତାରେ ସେହି ସୀମା ଅସ୍ମୋନରୁ ମିସରର ନଦୀ ପର୍ଯ୍ୟନ୍ତ ବୁଲି ଆସିବ ଓ ସେହି ସୀମା ମହାସମୁଦ୍ର ନିକଟରେ ଶେଷ ହେବ।
6ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ; ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ।
7ଆଉ ତୁମ୍ଭମାନଙ୍କର ଉତ୍ତର ସୀମା ଏହି ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ମହାସମୁଦ୍ରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ଚିହ୍ନିତ କରିବ; 8ହୋର ପର୍ବତଠାରୁ ତୁମ୍ଭେମାନେ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଚିହ୍ନିତ କରିବ; ପୁଣି, ସେଠାରୁ ସେହି ସୀମା ସଦାଦ୍ ନିକଟରେ ଶେଷ ହେବ। 9ପୁଣି, ସେହି ସୀମା ସିଫ୍ରୋଣ ପର୍ଯ୍ୟନ୍ତ ଯିବ ଓ ହତ୍ସର-ଐନନ୍ରେ ତହିଁର ଶେଷ ହେବ; ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ।
10ଆଉ ତୁମ୍ଭେମାନେ ଆପଣାମାନଙ୍କ ପୂର୍ବ ସୀମା ହତ୍ସର-ଐନନ୍ଠାରୁ ଶଫାମ୍ ପର୍ଯ୍ୟନ୍ତ ଚିହ୍ନିତ କରିବ। 11ତହୁଁ ସେହି ସୀମା ଶଫାମ୍ଠାରୁ ଐନ୍ର ପୂର୍ବଦିଗ ହୋଇ ରିବ୍ଲା ପର୍ଯ୍ୟନ୍ତ ତଳକୁ ଯିବ; ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନ୍ନେରତ୍ ହ୍ରଦର ପୂର୍ବ ପାର୍ଶ୍ୱ ଦେଇ ଯିବ। 12ପୁଣି, ସେହି ସୀମା ଯର୍ଦ୍ଦନ ଦେଇ ଯିବ ଓ ଲବଣ ସମୁଦ୍ର ନିକଟରେ ତହିଁର ଶେଷ ହେବ; ଏହି ଚତୁଃସୀମାନୁସାରେ ତୁମ୍ଭମାନଙ୍କର ଦେଶ ହେବ।’”
13ପୁନଶ୍ଚ, ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦେଇ କହିଲେ, “ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧ ବଂଶକୁ ଯେଉଁ ଦେଶ ଦେବା ପାଇଁ ଆଜ୍ଞା ଦେଇଅଛନ୍ତି ଓ ତୁମ୍ଭେମାନେ ଯାହା ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି। 14କାରଣ ରୁବେନ୍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ଗାଦ୍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ମନଃଶିର ଅର୍ଦ୍ଧ ବଂଶ ଆପଣା ଆପଣା ଅଧିକାର ପାଇଅଛନ୍ତି; 15ଏହି ଦୁଇ ବଂଶ ଓ ଅର୍ଦ୍ଧ ବଂଶ ଯିରୀହୋ ନିକଟସ୍ଥ ଯର୍ଦ୍ଦନର ପୂର୍ବପାରିରେ ସୂର୍ଯ୍ୟୋଦୟ ଦିଗରେ ଆପଣା ଆପଣା ଅଧିକାର ପାଇଅଛନ୍ତି।”


