ଲେବୀୟମାନଙ୍କୁ ପ୍ରଦତ୍ତ ନଗର

1ଏଥିଉତ୍ତାରେ ସଦାପ୍ରଭୁ ମୋୟାବ-ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ନଦୀ ସମୀପରେ ମୋଶାଙ୍କୁ କହିଲେ, 2“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି ଆଜ୍ଞା ଦିଅ; ସେମାନେ ଆପଣା ଆପଣା ଅଧିକୃତ ବାଣ୍ଟରୁ କେତେକ ବସତି-ନଗର ଲେବୀୟମାନଙ୍କୁ ଦିଅନ୍ତୁ, ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ସେହି ନଗରମାନର ତଳିଭୂମି ନିମନ୍ତେ ସେସବୁର ଚତୁର୍ଦ୍ଦିଗସ୍ଥ ଭୂମି ଦେବ। 3ତହିଁରେ ସେହି ସବୁ ନଗରରେ ସେମାନଙ୍କର ନିବାସ ହେବ; ପୁଣି, ତହିଁର ତଳିଭୂମିସବୁ ସେମାନଙ୍କ ପଶୁ, ସମ୍ପତ୍ତି ଓ ଜୀବମାନଙ୍କ ନିମନ୍ତେ ହେବ। 4ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ସେହିସବୁର ତଳିଭୂମି ନଗର-ପ୍ରାଚୀରଠାରୁ ବାହାରେ ଚତୁର୍ଦ୍ଦିଗରେ ଏକ ସହସ୍ର ହସ୍ତ ହେବ। 5ପୁଣି, ତୁମ୍ଭେମାନେ ନଗରର ବାହାରେ ତହିଁର ପୂର୍ବ ସୀମା ଦୁଇ ସହସ୍ର ହସ୍ତ, ଦକ୍ଷିଣ ସୀମା ଦୁଇ ସହସ୍ର ହସ୍ତ, ପଶ୍ଚିମ ସୀମା ଦୁଇ ସହସ୍ର ହସ୍ତ ଓ ଉତ୍ତର ସୀମା ଦୁଇ ସହସ୍ର ହସ୍ତ ପରିମିତ କରିବ; ନଗର ତହିଁର ମଧ୍ୟସ୍ଥଳରେ ରହିବ। ଏହା ସେମାନଙ୍କ ନଗରର ତଳିଭୂମି ହେବ। 6ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ତହିଁରୁ ଛଅଗୋଟି ଆଶ୍ରୟ ନଗର ହେବ, ନରହତ୍ୟାକାରୀ ସେଠାକୁ ପଳାଇବା ନିମନ୍ତେ ତୁମ୍ଭେମାନେ ତାହା ଦେବ; ଆଉ ତାହା ବ୍ୟତୀତ ଆହୁରି ବୟାଳିଶ ନଗର ଦେବ। 7ସର୍ବସୁଦ୍ଧା ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଚାଳିଶ ନଗର ଦେବ; ତୁମ୍ଭେମାନେ ସେମାନଙ୍କୁ ନଗର ସଙ୍ଗେ ତହିଁର ତଳିଭୂମି ଦେବ। 8ପୁଣି, ଇସ୍ରାଏଲ-ସନ୍ତାନଗଣଙ୍କର ଅଧିକାରରୁ ସେହି ସବୁ ନଗର ଦେବା ନିମନ୍ତେ ତୁମ୍ଭେମାନେ ଅଧିକ ଲୋକଙ୍କଠାରୁ ଅଧିକ ନେବ ଓ ଅଳ୍ପ ଲୋକଙ୍କଠାରୁ ଅଳ୍ପ ନେବ; ପ୍ରତ୍ୟେକ ବଂଶ ଆପଣାର ଅଧିକୃତ ଅଧିକାରାନୁସାରେ ଆପଣା ନଗରମାନଙ୍କରୁ ଲେବୀୟମାନଙ୍କୁ ଦେବେ।”