ମରାରି ବଂଶୀୟ ଲେବୀୟମାନଙ୍କ ଦାୟିତ୍ୱ

29ଏଉତ୍ତାରେ ତୁମ୍ଭେ ମରାରି-ସନ୍ତାନଗଣର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କୁ ଗଣନା କରିବ। 30ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କରିବ। 31ପୁଣି, ସମାଗମ-ତମ୍ବୁରେ ସେମାନଙ୍କର ସମସ୍ତ ସେବାକର୍ମ ସମ୍ବନ୍ଧୀୟ ଏହି ଏହି ଭାର ସେମାନଙ୍କର ରକ୍ଷଣୀୟ ହେବ; ଆବାସର ପଟା, ତହିଁର ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀସକଳ, 32ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ, ତହିଁର ଚୁଙ୍ଗୀ, ମେଖ, ରଜ୍ଜୁ ଓ ତହିଁ ସମ୍ବନ୍ଧୀୟ ସମସ୍ତ ଦ୍ରବ୍ୟ ଓ କାର୍ଯ୍ୟ; ତୁମ୍ଭେମାନେ ସେମାନଙ୍କ ରକ୍ଷଣୀୟ-ଭାରର ଦ୍ରବ୍ୟାଦି ନାମ ଦ୍ୱାରା ନିରୂପଣ କରିବ। 33ସମାଗମ-ତମ୍ବୁରେ ମରାରି-ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏହା ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ।”

34ଏଥିଉତ୍ତାରେ ମୋଶା ଓ ହାରୋଣ ଓ ମଣ୍ଡଳୀର ଅଧିପତିଗଣ କହାତୀୟ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କ ମଧ୍ୟରୁ 35ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, ସେମାନଙ୍କୁ ଗଣନା କଲେ। 36ତହିଁରେ ସେମାନଙ୍କ ବଂଶାନୁସାରେ ଗଣିତ ଲୋକ ଦୁଇ ହଜାର ସାତ ଶହ ପଚାଶ ଜଣ ହେଲେ; 37ଏମାନେ କହାତୀୟ ବଂଶର ଗଣିତ ଓ ସମାଗମ-ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ।

38ପୁଣି, ଗେର୍ଶୋନର ସନ୍ତାନଗଣ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ, 39ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, 40ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯାʼନ୍ତେ, ଦୁଇ ହଜାର ଛଅ ଶହ ତିରିଶ ଜଣ ହେଲେ। 41ଏମାନେ ଗେର୍ଶୋନ-ସନ୍ତାନଗଣର ବଂଶରେ ଗଣିତ ଓ ସମାଗମ-ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ; ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏମାନଙ୍କୁ ଗଣନା କଲେ।

42ଆଉ ମରାରି-ସନ୍ତାନଗଣର ବଂଶ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ, 43ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, 44ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯାʼନ୍ତେ, ତିନି ହଜାର ଦୁଇ ଶହ ଜଣ ହେଲେ। 45ଏମାନେ ମରାରି-ସନ୍ତାନଗଣ ବଂଶର ଗଣିତ ଲୋକ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ।

46ଏହିରୂପେ ମୋଶା, ହାରୋଣ ଓ ଇସ୍ରାଏଲର ଅଧିପତିଗଣ ଦ୍ୱାରା ଯେଉଁ ଲେବୀୟ ଲୋକମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣିତ ହେଲେ, 47ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ ସେବାକର୍ମରେ ଓ ଭାର ବହିବା କର୍ମରେ ନିଯୁକ୍ତ ହେଲେ, 48ସେମାନେ ଗଣାଯାʼନ୍ତେ, ଆଠ ହଜାର ପାଞ୍ଚ ଶହ ଅଶୀ ଜଣ ହେଲେ। 49ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରତ୍ୟେକେ ମୋଶାଙ୍କର ହସ୍ତ ଦ୍ୱାରା ଆପଣା ଆପଣା ସେବା ଓ ଭାର ବହିବା କର୍ମ ଅନୁସାରେ ଗଣିତ ହେଲେ; ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ଦ୍ୱାରା ସେମାନେ ଗଣିତ ହେଲେ।