ଅଶୁଚି ବ୍ୟକ୍ତି ସମ୍ପର୍କୀୟ ବିଧି
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ପ୍ରତ୍ୟେକ କୁଷ୍ଠୀକୁ ଓ ପ୍ରତ୍ୟେକ ପ୍ରମେହୀକୁ ଓ ଶବ ଛୁଇଁ ଅଶୁଚି ହେବା ପ୍ରତ୍ୟେକ ପ୍ରାଣୀକୁ ଛାଉଣିରୁ ବାହାର କରିବା ପାଇଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆଜ୍ଞା ଦିଅ। 3ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଦୁହିଁଙ୍କୁ ବାହାର କରିବ, ତୁମ୍ଭେମାନେ ଛାଉଣିର ବାହାରେ ସେମାନଙ୍କୁ ରଖିବ; ସେମାନଙ୍କର ଯେଉଁ ଛାଉଣି ମଧ୍ୟରେ ଆମ୍ଭେ ବାସ କରୁ, ତାହା ସେମାନେ ଅଶୁଚି ନ କରନ୍ତୁ।” 4ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହିରୂପ କଲେ, ପୁଣି, ଛାଉଣିର ବାହାରେ ସେମାନଙ୍କୁ ରଖିଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି କହିଲେ, ଇସ୍ରାଏଲ-ସନ୍ତାନଗଣ ସେପରି କଲେ।


