ପାଉଲଙ୍କ ପ୍ରାର୍ଥନା

3ମୁଁ ତୁମ୍ଭମାନଙ୍କୁ ଯେତେ ଥର ସ୍ମରଣ କରେ, ସେତେ ଥର ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଏ। 4ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ 5ତୁମ୍ଭ ସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି 6କାରଣ ଯେ ତୁମ୍ଭମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ରୂପେ ବିଶ୍ୱାସ କରେ; 7ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି। 8କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ବର ମୋହର ସାକ୍ଷୀ। 9ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ, 10ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରିପାର, ପୁଣି, ଈଶ୍ବରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ, 11ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ।