ଯୁବ ସମାଜକୁ ଉପଦେଶ
7ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ;
ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛବୋଧ କରନ୍ତି।
8ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ
ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ।
9ଯେହେତୁ ତାହା ତୁମ୍ଭର ଅନୁଗ୍ରହଜନକ ଶିରୋଭୂଷଣ
ଓ ଗଳଦେଶର ହାର ସ୍ୱରୂପ ହେବ।
10ହେ ମୋହର ପୁତ୍ର, ପାପୀଗଣ ତୁମ୍ଭକୁ ଫୁସୁଲାଇଲେ,
ତୁମ୍ଭେ ସମ୍ମତ ହୁଅ ନାହିଁ।
11ସେମାନେ ଯଦି କହନ୍ତି, “ଆମ୍ଭମାନଙ୍କ ସହିତ ଆସ,
ଆମ୍ଭେମାନେ ହତ୍ୟା କରିବାକୁ ଛକି ବସୁ,
ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ;
12ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ
ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ;
13ତହିଁରେ ଆମ୍ଭେମାନେ ସର୍ବପ୍ରକାର ବହୁମୂଲ୍ୟ ଧନ ପାଇବା,
ଲୁଟିତ ଦ୍ରବ୍ୟରେ ଆପଣା ଆପଣା ଗୃହ ପରିପୂର୍ଣ୍ଣ କରିବା,
14ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଂଶୀ ହେବ;
ଆମ୍ଭ ସମସ୍ତଙ୍କର ଏକ ତୋଡ଼ା ହେବ;”
15ହେ ମୋହର ପୁତ୍ର, ତୁମ୍ଭେ ସେମାନଙ୍କ ସଙ୍ଗେ ସେହି ପଥରେ ଚାଲ ନାହିଁ,
ସେମାନଙ୍କ ପଥରୁ ଆପଣା ପାଦ ଅଟକାଅ;
16ଯେହେତୁ ସେମାନଙ୍କ ଚରଣ କୁକ୍ରିୟା କରିବାକୁ ଦୌଡ଼େ
ଓ ରକ୍ତପାତ କରିବାକୁ ଶୀଘ୍ର ଧାଇଁ ଯାଏ।
17କୌଣସି ପକ୍ଷୀର ଆଖି ଆଗରେ
ଜାଲ ପାତିବା ନିତାନ୍ତ ବ୍ୟର୍ଥ ହୁଏ।
18ସେମାନେ ନିଜ ନିଜର ରକ୍ତପାତ କରିବାକୁ ଛକି ବସନ୍ତି
ଓ ଆପଣାମାନଙ୍କ ପ୍ରାଣକୁ (ଧରିବା ପାଇଁ) ଗୁପ୍ତରେ ଲୁଚି ରହନ୍ତି।
19ସମସ୍ତ ଧନଲୋଭୀର ଗତି ଏହି;
ତାହା ଧନର ଅଧିକାରୀମାନଙ୍କର ପ୍ରାଣନାଶ କରେ।


