ଉପକ୍ରମଣିକା
1ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ବର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ। 2ସେହି ଯୋହନ ଈଶ୍ବରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍ ସେ ଯାହାସବୁ ଦର୍ଶନ ଦେଖିଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି। 3ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ।


