ଲାଅଦିକିଆ ସହରର ମଣ୍ଡଳୀ ପ୍ରତି ବାର୍ତ୍ତା
14“ଲାଅଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ:
ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ବରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି, 15ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା। 16ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ। 17ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଗ୍ନ, ଏହା ଜାଣ ନାହିଁ; 18ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଗ୍ନତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ।
19ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍ଯୋଗୀ ହୋଇ ମନ-ପରିବର୍ତ୍ତନ କର। 20ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋହର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ।
21ମୁଁ ଯେପରି ଜୟ କରି ମୋହର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋହର ସିଂହାସନରେ ବସିବାକୁ ଦେବି। 22ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”


