୧, ୪୪,୦୦୦ ଇସ୍ରାଏଲୀୟ ମୁଦ୍ରାଙ୍କିତ

1ତାହାପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି। 2ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ବରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, 3ଆମ୍ଭେମାନେ ଆପଣାମାନଙ୍କ ଈଶ୍ବରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ। 4ତାହା ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,

5ଯିହୂଦା ବଂଶରୁ ବାର ହଜାର,

ରୂବେନ ବଂଶରୁ ବାର ହଜାର,

ଗାଦ ବଂଶରୁ ବାର ହଜାର,

6ଆଶେର ବଂଶରୁ ବାର ହଜାର,

ନପ୍ତାଲି ବଂଶରୁ ବାର ହଜାର,

ମନଃଶି ବଂଶରୁ ବାର ହଜାର,

7ଶିମିୟୋନ ବଂଶରୁ ବାର ହଜାର,

ଲେବୀ ବଂଶରୁ ବାର ହଜାର,

ଇସାଖାର ବଂଶରୁ ବାର ହଜାର,

8ସବୂଲୂନ ବଂଶରୁ ବାର ହଜାର,

ଯୋଷେଫ ବଂଶରୁ ବାର ହଜାର,

ବିନ୍ୟାମୀନ୍ ବଂଶରୁ ବାର ହଜାର।