ସପ୍ତମ ମୁଦ୍ରା ଭଗ୍ନ ଏବଂ ସୁବର୍ଣ୍ଣ ଧୂପଦାନୀ
1ମେଷଶାବକ ଯେତେବେଳେ ସପ୍ତମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ସ୍ୱର୍ଗରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ନୀରବତା ବିରାଜିତ ହେଲା। 2ତତ୍ପରେ ମୁଁ ଈଶ୍ବରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦିଆ ହେଲା। 3ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପଦାନୀ ଥିଲା, ପୁଣି, ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଅର୍ପଣ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା। 4ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ବରଙ୍କ ସମ୍ମୁଖରେ ଉଠିଲା। 5ପରେ ସେହି ଦୂତ ଧୂପଦାନୀ ଘେନି ବେଦିର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ। ସେଥିରେ ବଜ୍ରଧ୍ୱନୀ, ବିଭିନ୍ନ ସ୍ୱର, ବିଜୁଳି ଓ ଭୂମିକମ୍ପ ହେଲା।


