ଦୁଇ ସାକ୍ଷୀ
1ପରେ ମୋତେ ମାପକାଠି ପରି ଗୋଟିଏ ନଳ ଦିଆ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ବରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ। 2କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ଅଣଯିହୁଦୀମାନଙ୍କୁ ଦିଆଯାଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପବିତ୍ର ନଗରୀକୁ ପାଦ ତଳେ ଦଳିତ କରିବେ।
3ଆଉ ଆମ୍ଭେ ଆପଣା ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟବସ୍ତ୍ର ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ। 4ସେମାନେ ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ଦୁଇ ଜୀତବୃକ୍ଷ ଓ ଦୁଇ ପ୍ରଦୀପ ସଦୃଶ। 5କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରେ; କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବ, ତାହାକୁ ଏହିପରି ଭାବେ ହତ ହେବାକୁ ହେବ।
6ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥିନିମନ୍ତେ ଆକାଶ ବନ୍ଦ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି, ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି। 7ସେମାନଙ୍କ ସାକ୍ଷ୍ୟ ସମାପ୍ତ ହେଲା ଉତ୍ତାରେ ପାତାଳକୁଣ୍ଡରୁ ଯେଉଁ ପଶୁ ଉତ୍ଥିତ ହେବ, ସେ ସେମାନଙ୍କ ସହିତ ଯୁଦ୍ଧ କରିବ ଓ ସେମାନଙ୍କୁ ଜୟ କରି ବଧ କରିବ।
8ସେଥିରେ ଯେଉଁ ମହାନଗରୀକୁ ଆତ୍ମିକ ଭାବରେ ସଦୋମ ଓ ମିସର ବୋଲି କୁହାଯାଏ, ଯେଉଁଠାରେ ସେମାନଙ୍କର ପ୍ରଭୁ ମଧ୍ୟ କ୍ରୁଶରେ ହତ ହୋଇଥିଲେ, ସେହି ମହାନଗରୀର ରାଜପଥରେ ସେମାନଙ୍କ ଶବ ପଡ଼ି ରହିବ। 9ଆଉ ନାନା ବଂଶ, ଗୋଷ୍ଠୀ, ଭାଷାବାଦୀ ଓ ଜାତିର ଲୋକେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବକୁ ଦେଖିବେ ଓ ସମାଧି-ସ୍ଥାନରେ ରଖିବାକୁ ଦେବେ ନାହିଁ।
10ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁ-ସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ। 11ସାଢ଼େ ତିନି ଦିନ ଉତ୍ତାରେ ଈଶ୍ବରଙ୍କଠାରୁ ଜୀବନ-ବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ। 12ସେତେବେଳେ ସେମାନେ ଆକାଶରୁ ଉଚ୍ଚସ୍ୱରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠିଆସ। ସେଥିରେ ସେମାନେ ମେଘାଚ୍ଛନ୍ନ ହୋଇ ସ୍ୱର୍ଗାରୋହଣ କଲେ, ଆଉ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଦେଖିଲେ।
13ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍ ହେଲା, ପୁଣି, ଭୂମିକମ୍ପରେ ସାତ ହଜାର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ୱର୍ଗସ୍ଥ ଈଶ୍ବରଙ୍କ ମହିମା କୀର୍ତ୍ତନ କଲେ।
14ଦ୍ୱିତୀୟ ସନ୍ତାପ ଗତ ହେଲା; ଦେଖ, ତୃତୀୟ ସନ୍ତାପ ଶୀଘ୍ର ଆସୁଅଛି।


